ରେସିପି ଫର୍‍ ଛପନ ଭୋଗ

 

 

 

 

 

 

 

 

 

 

ରେସିପି ଫର୍‍ ଛପନ ଭୋଗ

 

ସୂଚୀପତ୍ର

 

୧.

ଅଦା ହେଙ୍ଗୁ ଖେଚେଡ଼ି

୨.

ଡାଲମା

୩.

ପୋଟଳ ରସା

୪.

ବଳିବାମନ ମୁଗ

୫.

ମଗଜ ଲଡ଼ୁ

୬.

ନଡ଼ିଆ ପାଚେଡ଼ି

୭.

ନଡ଼ିଆ କେଳି

୮.

ଆମ୍ବୁଲ ରାଇ

୯.

ମିଠା ଡାଲି

୧୦.

ମକର ଚାଉଳ

୧୧.

ଶାଗ

୧୨.

ଘିଅ ଅନ୍ନ

୧୩.

ସାଧା ଅନ୍ନ

୧୪.

କାନିକା

୧୫.

ଚଢ଼େଇନଦା

୧୬.

ମୂଳା ରାଇତା

୧୭.

ଫଳ ଖଟା

୧୮.

ବେସର

୧୯.

ଅବଢ଼ା ପଖାଳ

୨୦.

ଘାଣ୍ଟ ତରକାରୀ

୨୧.

ପୋଡ଼ ପିଠା

୨୨.

ବିରି ଡଲି ପୋଡ଼ପିଠା

୨୩.

ଚିତଉ ପିଠା

୨୪.

କାକରା ପିଠା

୨୫.

ଶ୍ରୀଖଣ୍ଡ

୨୬.

ଆରିସା ପିଠା

୨୭.

ଚନ୍ଦ୍ରକାନ୍ତି ପିଠା

୨୮.

ଚାଉଳ କ୍ଷୀରୀ

୨୯.

ସୁଜି କ୍ଷୀରୀ

୩୦.

ଚୂଡ଼ା କଦମ୍ବା

୩୧.

ଚୂଡ଼ା ଘସା

୩୨.

ବିରିଗୁଳି

୩୩.

ଲୁଣି ଖୁରୁମା

୩୪.

ଗୋଟା ବାଇଗଣ

୩୫.

ଜୁଆଣୀ ରୁଟି ବା ଖଳି ରୁଟି

୩୬.

କାର୍ତ୍ତିକ ମାସ ବାଳଭୋଗ

୩୭.

ଖଜା

୩୮.

ଗୋଟା ସୋଲା ବା ଛୋଲେ

୩୯.

ଦହିବରା

୪୦.

କ୍ଷୀରା

୪୧.

ଆମ୍ବୁଲ

୪୨.

ମାଲପୁଆ

୪୩.

ହବିଷ ଡାଲମା

୪୪.

ମହୁର

୪୫.

ମାଠପୁଳି

୪୬.

ଓଉଖଟା

୪୭.

କଖାରୁ ଖଟା

୪୮.

ଆମ୍ବ ଖଟା

୪୯.

ଡାଳିମ୍ବ

୫୦.

ମୋହନ ଭୋଗ

୫୧.

ଛୁଞ୍ଚି ପତ୍ର

୫୨.

ପାରିଜାତକ

୫୩.

ଥାଳି ଖେଚେଡ଼ି

୫୪.

ମୁଠି ଗଜା

୫୫.

ସାଧା ଡାଲି

୫୬.

ଅନ୍ନରସାବଳି

୫୭.

ଛେନା ତାଡ଼ିଆ

୫୮.

ଜଗନ୍ନାଥ ବଲ୍ଲଭ

୫୯.

ନାଡ଼ି ଝିଲି

୬୦.

ବିରି ଡଲି ଓ ହରଡ଼ ଡାଲି ଡାଲମା

୬୧.

ଦହି ଛେନା ଖଟା

୬୨.

ସୋଲା ଡାଲି ଛେନା ତରକାରୀ

୬୩.

ଲିମ୍ବ କଢ଼ ଡାଲମା

୬୪.

ରସ ଗୋଲ ଖଟା

Image

 

ଅଦା ହେଙ୍ଗୁ ଖେଚେଡ଼ି

ଆବଶ୍ୟକ ସାମଗ୍ରୀ :

ଚାଉଳ

-

୫୦୦ ଗ୍ରାମ (ବାସୁମତି କିମ୍ବା କୃଷ୍ଣ ଭୋଗ)

ମୁଗଯାଇ

-

୨୫ଗ୍ରାମ

ବୁଟ ଡଲି

-

୧୦ଗ୍ରାମ

ଭଲ ଘିଅ

-

୧୫୦ ଗ୍ରାମ

ଅଦା

-

୫୦ ଗ୍ରାମ

ହେଙ୍ଗୁ

-

୨ ଗ୍ରାମ

ପାଣି

-

୧ ଲିଟର

ଲୁଣ

-

ପରିମାଣ ଅନୁସାରେ

ଧନିଆ ପତ୍ର

-

୧ ବିଡ଼ା

ଜିରା

-

୧ ଚାମଚ

 

ପ୍ରସ୍ତୁତି ପ୍ରାଣାଳୀ :

ପ୍ରଥମେ ଚୁଲିରେ ପାଣି ବସାନ୍ତୁ । ତା ପରେ ଚାଉଳ, ବୁଟ ଡଲି ଓ ମୁଗ ଡଲି କୁ ଏକାଠି ଭଲ ଭାବରେ ଧୋଇ ପାଣିରେ ପକାନ୍ତୁ । ଚାଉଳ ଅଧା ଫୁଟିଯିବା ପରେ ଅଦା ଛେଚି ପକାନ୍ତୁ । ହେଙ୍ଗୁ ଟିକେ ପାଣି କରି ପକାନ୍ତୁ । ଗୋଟା ଜିରା ପକାନ୍ତୁ । ଲୁଣ ପରିମାଣ ଅନୁସାରେ ପକାନ୍ତୁ । ଖେଚେଡ଼ି ପୁରା ହୋଇଗଲେ ଘିଅ ଦେଇ ଗୋଳେଇ ଓହ୍ଲାଇ ଦେବେ । ଓହ୍ଲାଇ ସାରି ଧନିଆ ପତ୍ର ପକାଇ ଘୋଡ଼ାଇ ଦେବେ ।

 

ପ୍ରସ୍ତୁତ :

ଏବେ ଖେଚେଡ଼ି ପ୍ରସ୍ତୁତ ହୋଇଗଲା । ନିଜେ ଖାଆନ୍ତୁ ଓ ଖୁଆନ୍ତୁ । ଅଦା ହେଙ୍ଗୁ ଖେଚେଡ଼ି ମହାପ୍ରଭୁ ଜଗନ୍ନାଥଙ୍କର ଏକ ପ୍ରଧାନ ଖାଦ୍ୟ । ପ୍ରଭୁଙ୍କର ଛପନ ଭୋଗ ମଧ୍ୟରେ ଏହା ଅନ୍ତର୍ଭୁକ୍ତ ।

Image

 

ଡାଲମା

ଆବଶ୍ୟକ ସାମଗ୍ରୀ :

ହରଡ଼ ଡାଲି

-

୫୦୦ ଗ୍ରାମ

ପରିବା

-

୩୫୦ ଗ୍ରାମ (ଦେଶୀଆଳୁ, ପୋଟଳ, କଖାରୁ, କାଙ୍କଡ଼, ବାଇଗଣ, ପଣସ କଠା)

ଘିଅ

-

୧୦୦ ଗ୍ରାମ

ଅଦା

-

୫୦ ଗ୍ରାମ

ଭଜା ଜିରା ଲଙ୍କାଗୁଣ୍ଡ

-

୨୫ ଗ୍ରାମ

ହଳଦୀ ଗୁଣ୍ଡ

-

ପରିମାଣ ଅନୁସାରେ

ଲୁଣ

-

ପରିମାଣ ଅନୁସାରେ

ନଡ଼ିଆ

-

୧ ଫାଳର କୋରା

ତେଜପତ୍ର

-

୪/୫ ଗୋଟା

ଫୁଟଣ

-

୪ ଚା ଚାମଚ

ଧନିଆ ପତ୍ର

-

ଛୋଟ ୨ ବିଡ଼ା

ନାଡ଼ି

-

୫୦ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଡାଲିକୁ ଧୋଇ ଚୁଲୀରେ ବସାନ୍ତୁ । ଡାଲି ଫୁଟି ଆସିଲେ ଆବଶ୍ୟକ ପରିମାଣର ହଳଦୀ ଗୁଣ୍ଡ ପକାନ୍ତୁ । ତାପରେ ପରିବା ଗୁଡ଼ିକ ଛୋଟ ଛୋଟ ଖଣ୍ଡ କରି କାଟି ପକାନ୍ତୁ-। କିଛି ସମୟ ଫୁଟିବ ପରେ ନଡ଼ିଆ କୋରା ପକାନ୍ତୁ । ତା ପରେ ଅଳ୍ପ ଅଦା ଛେଚି ପକାନ୍ତୁ-। ପରିମାଣ ଦେଖି ଲୁଣ ପକାନ୍ତୁ । ପରିବା ସିଝି ଗଲେ ଓହ୍ଲାଇ ଦିଅନ୍ତୁ । ତା ପରେ କଢ଼ାଇରେ ଘିଅ ଗରମ କରି ତେଜପତ୍ର ଫୁଟଣ ପକାନ୍ତୁ । ଫୁଟି ଆସିଲେ ବାକି ଅଦା ଛେଚା ପକାନ୍ତୁ । ତାପରେ ଡାଲମା ଓଜାଡ଼ି ବଘାରନ୍ତୁ । ଜିରା ଗୁଣ୍ଡ ଦେଇ ଧନିଆ ପତ୍ର ଓ ନାଡ଼ି ପକାଇ ଓହ୍ଲାଇ ଦିଅନ୍ତୁ ।

ପ୍ରସ୍ତୁତ :

ଏବେ ଡାଲମା ପ୍ରସ୍ତୁତ ହୋଇଗଲା । ପରଷନ୍ତୁ ଓ ନିଜେ ଖାଇ ଦେଖନ୍ତୁ । ଖେଚେଡ଼ି ପରି ଏହା ପ୍ରଭୁ ଜଗନ୍ନାଥଙ୍କର ଏକ ପ୍ରଧାନ ଖାଦ୍ୟ ।

Image

 

ପୋଟଳ ରସା

ଆବଶ୍ୟକ ସାମଗ୍ରୀ :

ପୋଟଳ

-

୨୫୦ ଗ୍ରାମ

ନଡ଼ିଆ

-

୧ ଫାଳ

ଜିରା

-

୨ ଚାମଚ

ଧନିଆ

-

୨ ଚାମଚ

ଘିଅ

-

୧୫୦ ଗ୍ରାମ

ଲୁଣ

-

ପରିମାଣ ଅନୁସାରେ

ହଳଦୀ

-

ପରିମାଣ ଅନୁସାରେ

ତେଜପତ୍ର

-

୪ ଗୋଟା

ଡାଲଚିନି, ଲବଙ୍ଗ

-

୨ ଚାମଚ ବଟା

 

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ପୋଟଳ ଗୁଡ଼ିକୁ ଧୋଇ ୨ ଖଣ୍ଡ କରି କାଟି ଛାଣି ରଖନ୍ତୁ । ନଡ଼ିଆ ଫାଳକୁ କୋରି ଚିକ୍କଣ କରି ବାଟି ଦିଅନ୍ତୁ । ଜିରା ଧନିଆକୁ ମଧ୍ୟ ବାଟି ରଖନ୍ତୁ । କଡ଼ାଇରେ ଘିଅ ଗରମ କରି ତେଜପତ୍ର ପକାନ୍ତୁ । ଜିରା, ଧନିଆବଟା ପକାଇ କଷନ୍ତୁ । ହଳଦି ଗୁଣ୍ଡ ପକାଇ ଟିକେ ଭାଜନ୍ତୁ-। ପୋଟଳ ଛଣା ଗୁଡ଼ିକ ପକାଇ କଷନ୍ତୁ-। ପୋଟଳ କଷି ହୋଇଗଲେ ନଡ଼ିଆ ବଟା ଦିଅନ୍ତୁ-। ପୋଟଳ ଗୋଳେଇ ଅଳ୍ପ ଡଙ୍କିଏ ୨ ଡଙ୍କି ପାଣିଦିଅନ୍ତୁ । ସେ ଫୁଟି ଆସିଲେ ଲୁଣ ପକାନ୍ତୁ-। ପୋଟଳ ମସଲା ସିଝି ବହଳିଆ ହୋଇ ଆସିଲେ ଶେଷରେ ଡାଳଚିନି ଓ ଲବଙ୍ଗ ବଟା ଦେଇ ଗୋଳେଇ ଓହ୍ଲାଇ ଦିଅନ୍ତୁ ପୋଟଳ ରସା ।

ପ୍ରସ୍ତୁତ :

ଏବେ ପୋଟଳ ରସା ପ୍ରସ୍ତୁତ ହୋଇଗଲେ । ନିଜେ ଖାଆନ୍ତୁ ଓ ଅନ୍ୟ ମାନଙ୍କୁ ପରଷନ୍ତୁ । ପୋଟଳ ରସା ଶ୍ରୀଜଗନ୍ନାଥଙ୍କର ଏକ ପ୍ରଧାନ ଖାଦ୍ୟ ।

Image

 

ବଳିବାମନ ମୁଗ

ଆବଶ୍ୟକ ସାମଗ୍ରୀ :

ଗୋଟା ମୁଗ

-

୫୦୦ ଗ୍ରାମ

ଜିରା

-

୨୦ ଗ୍ରାମ

ଧନିଆ

-

୫ ଗ୍ରାମ

ଡାଳଚିନି

-

୫ ଗ୍ରାମ

ଲବଙ୍ଗ

-

୪ ରୁ ୫ ଗୋଟା

ଘିଅ

-

୨୫ ଗ୍ରାମ

ଛୋଟ ନଡ଼ିଆ

-

୧ ଗୋଟା

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ମୁଗକୁ ୨ ଘଣ୍ଟା ବତୁରାଇ ଦିଅନ୍ତୁ । ତାକୁ ଭଲ ଭାବରେ ସିଝାନ୍ତୁ । ଅଧା ଉପରେ ସିଝିଗଲେ ନଡ଼ିଆ କୋରା (ଜିରା, ଧନିଆ, ଡାଳଚିନି, ଲବଙ୍ଗ) ମସଲା ବଟା ଦେବେ-। ତା ପରେ ପୁରା ସିଝି ଗଲେ ପଞ୍ଚ ଫୁଟଣରେ ବଘାରି ଓହ୍ଲାଇ ଦେବେ ।

 

ପ୍ରସ୍ତୁତ :

ଏବେ ବଳି ବାମନ ମୁଗ ପ୍ରସ୍ତୁତ ହୋଇଗଲା । ନିଜେ ଖାଆନ୍ତୁ ଓ ଖୁଆନ୍ତୁ । ଏହି ବଳିବାମନ ମୁଗ ବାମନ ଜନ୍ମ ଦିନ ତିଆରି ହୋଇ ଭୋଗ ହୁଏ ।

Image

 

ମଗଜ ଲଡ଼ୁ

ଆବଶ୍ୟକ ସାମଗ୍ରୀ :

ଅଟା

-

୫୦୦ ଗ୍ରାମ

ଚିନି

-

୫୦୦ ଗ୍ରାମ

ଘିଅ

-

୨୫୦ ଗ୍ରାମ

ଲବଙ୍ଗ

-

୩ ଗ୍ରାମ

ଜାଇଫଳ

-

ଛୋଟ ଖଣ୍ଡେ

ଗୁଜୁରାତି

-

୧୨ ଗୋଟା

 

ପ୍ରସ୍ତୁତି ପ୍ରଣାଳୀ :

କଡ଼ାଇରେ ଘିଅ ଗରମ କରନ୍ତୁ । ଘିଅ ଗରମ ହେଲେ ଅଟା ପକାଇ ଦିଅନ୍ତୁ ଓ ଭଜନ୍ତୁ-। ଅଟା ଭଲ ଭାବରେ ଭାଜି ହୋଇ ଗଲେ ସୁନ୍ଦର ବାସନା ଆସିବ, ତାକୁ ତଳକୁ ଓହ୍ଲାଇ ଥଣ୍ଡା କରନ୍ତୁ । ଅଳ୍ପ ଟିକେ ଉଷୁମ ଥିବା ତା ଭିତରେ ଚିନି ପକାଇ ଗୋଳାନ୍ତୁ । ପୁରା ଥଣ୍ଡା ହେଲେ ବି ଚଳିବ । ଲବଙ୍ଗ ଜାଇଫଳକୁ ଗୁଣ୍ଡକରି ପକାଇ ଗୋଳାନ୍ତୁ । ଗୁଜୁରାତିକୁ ଗୁଣ୍ଡକରି ପକାଇ ଗୋଳେଇ ଦିଅନ୍ତୁ । ପୁରା ଥଣ୍ଡା ହୋଇ ଗଲେ ହାତରେ ଚାପି ଚାପି ଗୋଲ ଗୋଲ ମଗଜ ଲଡ଼ୁ ତିଆରି କରି ରଖନ୍ତୁ । ଏହା ପ୍ରାୟ ୧୫ ବା ୨୦ ଦିନରୁ ଅଧିକ ରଖାଯାଇ ପାରିବ ।

 

ପ୍ରସ୍ତୁତ :

ଏବେ ମଗଜ ଲଡ଼ୁ ପ୍ରସ୍ତୁତ ହୋଇଗଲା । ଏହା ଜଗନ୍ନାଥଙ୍କ ଏକ ପ୍ରିୟ ଭୋଗ ।

Image

 

ନଡ଼ିଆ ପାଚେଡ଼ି

ଆବଶ୍ୟକ ସାମଗ୍ରୀ :

ନଡ଼ିଆ

-

୧ଗୋଟା

କଞ୍ଚାଲଙ୍କା

-

୨ ରୁ ୪ ଗୋଟା

ଦହି

-

୨୫୦ ଗ୍ରାମ

ଲୁଣ

-

ପରିମାଣ ଅନୁସାରେ

ଜିରା

-

୧ ଚାମଚ

ଚିନି

-

୨ ଚାମଚ

ଅଦା

-

୧ ଖଣ୍ଡ

ଧନିଆ ପତ୍ର

-

୧ ବିଡ଼ା

 

ପ୍ରସ୍ତୁତି ପ୍ରଣାଳୀ :

ନଡ଼ିଆ କୁ କୋରି ଦିଅନ୍ତୁ । ଗୋଟା ଜିରା ଭାଜି ନଡ଼ିଆ କୋରାରେ ପକାନ୍ତୁ । ଅଦା, କଞ୍ଚାଲଙ୍କା କୁ ଛେଚି ପକାନ୍ତୁ । ଚିନି ପକାନ୍ତୁ, ଲୁଣ ପରିମାଣ ଅନୁସାରେ ପକାନ୍ତୁ । ଦହି ପକାଇ ଭଲ ଭାବରେ ଗୋଳେଇ ଦିଅନ୍ତୁ । ଧନିଆ ପତ୍ର କାଟି ପକାଇ ଗୋଳେଇ ନଡ଼ିଆ ପାଚେଡ଼ୀ ପରଷନ୍ତୁ । ଜିରା ଲଙ୍କା ଭାଜି ଗୁଣ୍ଡ ମଧ୍ୟ ଦେଇ ପାରନ୍ତି ।

ପ୍ରସ୍ତୁତ :

ଏବେ ନଡ଼ିଆ ପାଚେଡ଼ି ପ୍ରସ୍ତୁତ ହୋଇଗଲା । ଖାଆନ୍ତୁ ଓ ଖୁଆନ୍ତୁ । ଏହା ଜଗନ୍ନାଥଙ୍କର ଏକ ପ୍ରିୟ ଖାଦ୍ୟ ।

Image

 

ନଡ଼ିଆ କେଳି

ଆବଶ୍ୟକ ସାମଗ୍ରୀ :

ନଡ଼ିଆ

-

୧ ଗୋଟା

ଘିଅ

-

୨୫୦ ଗ୍ରାମ

ଚିନି

-

୫୦୦ ଗ୍ରାମ

ଅଟା

-

୫୦୦ ଗ୍ରାମ

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ନଡ଼ିଆକୁ କୋରି ଦେବେ । ତା ପରେ ଅଟାରେ ଘିଅ ମଏମ ଦେଇ କୋରା ନଡ଼ିଆକୁ ପକାଇ ଚକଟି ରଖିବେ । ଏହି ଚକଟା ନରମ ଚକଟିବେ ନହିଁ । ଏହା ପରେ ହାତରେ ପେଡ଼ା ପରି ଚାପି ଚାପି ଛାଣି ରଖିବେ । ଚିନି ସିରା ଟାଣ କରି ଏଗୁଡ଼ିକ ପକାଇ ଗୋଳେଇ ଓହ୍ଲାଇ ଦେବେ ।

ପ୍ରସ୍ତୁତ :

ଏବେ ନଡ଼ିଆ କେଳି ପ୍ରସ୍ତୁତ ହୋଇଗଲା । ନିଜେ ଖାଆନ୍ତୁ ଓ ଖୁଆନ୍ତୁ । ନଡ଼ିଆ କେଳି ଜଗନ୍ନାଥଙ୍କର ପ୍ରିୟ ଖାଦ୍ୟ ।

Image

 

ଆମ୍ବୁଲ ରାଇ

ଆବଶ୍ୟକ ସାମଗ୍ରୀ :

କୁଆଁରୀ ଆମ୍ବୁଲ

-

୧୦୦ ଗ୍ରାମ

ଲୁଣ

-

ପରିମାଣ ଅନୁସାରେ

ଦହି

-

୩୦୦ ଗ୍ରାମ

ଫୁଟଣ

-

୧ ଚାମଚ

ଧଳା-ଶୋରିଷ

-

୫୦ ଗ୍ରାମ

ଚିନି

-

୨ ଚାମଚ

ନଡ଼ିଆ

-

୧ ଗୋଟା (କୋରା )

ଘିଅ

-

୨ ଚାମଚ

ଲଙ୍କାଗୁଣ୍ଡ

-

୧ ଚାମଚ

ଭୁରୁଶୁଙ୍ଗା ପତ୍ର

-

କିଛି

ଚାଟ ମସଲା

-

୧/୨ ଚାମଚ

 

 

 

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଆମ୍ବୁଲ କୁ ୨ ରୁ ୩ ଘଣ୍ଟା ବତୁରାଇ ଧୋଇ ଛାଣି ରଖନ୍ତୁ । ଦହିରେ ଶୋରିଷବଟା, ନଡ଼ିଆ କୋରା ଦେଇ ଗୋଳାନ୍ତୁ । ତା ଭିତରେ ଅଦା ଛେଚା, ଲୁଣ, ଚିନି, ଚାଟ ମସଲା ପକାନ୍ତୁ । ଘିଅରେ ଭୁରୁଶୁଙ୍ଗା ପତ୍ର ଫୁଟଣ ଫୁଟାନ୍ତୁ । ଫୁଟାଇ ସାରି ଦହି ଆମ୍ବୁଲରେ ପକାଇ ସବୁଯାକ ଏକାଠି ଗୋଳେଇ ଦିଅନ୍ତୁ । ଅଧଘଣ୍ଟା ପରେ ଆମ୍ବୁଲ ରାଇ ପରଷନ୍ତୁ।

ପ୍ରସ୍ତୁତ :

ଏବେ ଆମ୍ବୁଲ ରାଇ ପ୍ରସ୍ତୁତ ହୋଇଗଲା । ଏହା ପ୍ରଭୁଙ୍କର ଏକ ପ୍ରିୟ ଖାଦ୍ୟ ।

Image

 

ମିଠା ଡାଲି

ଆବଶ୍ୟକ ସାମଗ୍ରୀ :

ହରଡ଼ ଡାଲି

-

୧ କେଜି

ଗୁଜୁରାତି

-

୫ ରୁ ୬ ଗୋଟା

ଚିନି

-

୨୦୦ ଗ୍ରାମ

ହଳଦୀ ଗୁଣ୍ଡ

-

ପରିମାଣ ଅନୁସାରେ

ଘିଅ

-

୧୦୦ ଗ୍ରାମ

ଲୁଣ

-

ପରିମାଣ ଅନୁସାରେ

ଫୁଟଣ

-

୪ ଚାମଚ

ତେଜପତ୍ର

-

୪ ରୁ ୫ ଗୋଟା

ନଡ଼ିଆ

-

୧ ଫାଳ

 

 

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଡାଲିକୁ ଚିନି, ଲୁଣ ଓ ହଳଦୀ ଦେଇ ଭଲ ଭାବରେ ସିଝାଇ ଦିଅନ୍ତୁ । ଏହା ପରେ ନଡ଼ିଆ କୋରା ପକାଇ ଗୋଳାନ୍ତୁ । କଡ଼ାଇରେ ଘିଅ ଗରମ କରି ଫୁଟଣ, ତେଜପତ୍ର ପକାନ୍ତୁ । କଡ଼ାଇରେ ଘିଅ ଗରମ କରି ଫୁଟଣ, ତେଜପତ୍ର ପକାନ୍ତୁ । ଫୁଟି ଆସିଲେ ଡାଲି ବଘାରନ୍ତୁ । ଡାଳିରେ ଅଧିକ ପଣି ରଖିବେ ନାହିଁ । ଡାଲି ବଘାରି ଓହ୍ଲାଇଲା ବେଳେ ଗୁଜୁରାତିକୁ ଅଧା ଅଧା ଛେଚା କରି ପକାଇ ଫୁଟାନ୍ତୁ । ଫୁଟି ଆସିଲେ ଓହ୍ଲାଇ ଦିଅନ୍ତୁ ।

ପ୍ରସ୍ତୁତ :

ଏବେ ମିଠା ଡାଲି ପ୍ରସ୍ତୁତ ହୋଇଗଲା । ଏହା ଜଗନ୍ନାଥଙ୍କର ପ୍ରିୟ ପ୍ରସାଦ ।

Image

 

ମକର ଚାଉଳ

ଆବଶ୍ୟକ ସାମଗ୍ରୀ :

ବାସୁମତୀ ଚାଉଳ

-

୫୦୦ ଗ୍ରାମ

ଗୁଜୁରାତି

-

୮ ରୁ ୧୦ ଗୋଟା

ଚିନି

-

୨୫୦ ଗ୍ରାମ

କିସ୍‌ମିସ୍‌

-

୨୦ ଗୋଟା

କ୍ଷୀର

-

୨୫୦ ଗ୍ରାମ

କାଜୁ

-

୨୦ ଗୋଟା

କମଳା

-

୧ ଗୋଟା

ଛେନା

-

୧୦୦ ଗ୍ରାମ

ସେଓ

-

୨ ଗୋଟା

ଖୁଆ

-

୧୫୦ ଗ୍ରାମ

ଅଙ୍ଗୁର

-

୧ ପେନ୍ଥା

ଭଲ ଘିଅ

-

୫୦ ଗ୍ରାମ

କଦଳୀ

-

୪ ଗୋଟା

ଧନୁମୁଆଁ

-

୧ ଗୋଟା

ନଡ଼ିଆ

-

୧ ଗୋଟା

କର୍ପୂର

-

ଚିମୁଟା ସ୍ଲାଇଡ଼

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଚାଉଳକୁ ୨ ରୁ ୩ ଘଣ୍ଟା ବତୁରାଇ ଛାଣି ରଖନ୍ତୁ । ଏହାକୁ ଶୀଳରେ ଦର ଦର ବଟା କରି ଦିଅନ୍ତୁ । ଏହି ବଟାରେ କ୍ଷୀର, କଦଳୀ, ସେଓ, କମଳା ଫଳ ଇତ୍ୟାଦିକୁ ଚୁନା ଚୁନା କାଟି ପକାନ୍ତୁ । ଛେନା, ଖୁଆ, କାଜୁ, କିସ ମିସ ପକାନ୍ତୁ । ମୁଆଁ କୁ ଖଣ୍ଡ କରି ପକାନ୍ତୁ । ଗୁଜୁରାତି ଗୁଣ୍ଡ ପକାନ୍ତୁ । ଘିଅ ଓ ଚିନି ପକାଇ ଚକଟା କରି ଦିଅନ୍ତୁ । ସ୍ଲାଇଡ଼ କର୍ପୁର ପକାଇ ଗୋଳେଇ ମକର ଚାଉଳ ତିଆରି କରନ୍ତୁ । ଏହି ମକର ଚାଉଳ ସଂଙ୍କ୍ରାନ୍ତିରେ ଭୋଗ ହୁଏ ।

ପ୍ରସ୍ତୁତ :

ଏବେ ମକର ଚାଉଳ ପ୍ରସ୍ତୁତ ହୋଇଗଲା । ଏହା ମହା ପ୍ରଭୁଙ୍କର ଏକ ପ୍ରିୟ ଖାଦ୍ୟ । ମକର ସଂଙ୍କ୍ରାନ୍ତି ଦିନ ପ୍ରଭୁଙ୍କ ନିକଟରେ ୮୪ ପ୍ରକାର ଭୋଗ କରାଯାଏ ।

Image

 

ଶାଗ

ଆବଶ୍ୟକ ସାମଗ୍ରୀ :

ଶାଗ

-

(କୋଶଳା କିମ୍ବା ଲେଉଟିଆ) ୧କିଲୋ

ଗୋଟାବୁଟ

-

୫୦ ଗ୍ରାମ (ବତୁରାଇ ସିଝାହୋଇ ଥିବ)

ପରିବା

-

(କଖାରୁ, ଦେଶୀଆଳୁ, କଦଳୀ, ବାଇଗଣ, ଶିମ୍ବ) ୧୧/୨, କିଲୋ । ପରିବା ଯାହା ନେବେ

ନାଡ଼ି

-

୨୦୦ ଗ୍ରାମ

ଜିରା

-

୫୦ ଗ୍ରାମ

ନଡ଼ିଆ

-

୧ ଗୋଟା

ଗୋଲ ମରିଚ

-

୫ ଗ୍ରାମ

ଫୁଟଣ

-

୩ ରୁ ୪ ଚାମଚ

ଡାଳଚିନି

-

୧୦ ଗ୍ରାମ

ଘିଅ

-

୧୦୦ ଗ୍ରାମ

ଲବଙ୍ଗ

-

୮ ରୁ ୧୦ ଗୋଟା

ଲୁଣ

-

ପରିମାଣ ଅନୁସାରେ

ତେଜପତ୍ର

-

୪ ରୁ ୫ ଗୋଟା

 

ପ୍ରସ୍ତୁତି ପ୍ରଣାଳୀ :

ପରିବା ଗୁଡ଼ିକ ଛୋଟ ଛୋଟ କାଟିବେ । ଚୁଲିରେ କଡ଼ାଇ ବସାଇ କିଛି ପାଣି ଦେଇ ପରିବା କଟା ପକାଇବେ । ତାପରେ ବୁଟସିଝା, ନଡ଼ିଆ କୋରି ଏଇ ପରିବା କଟାରେ ପକାଇ ସିଝାଇବେ । ଜିରା, ଗୋଲମରୀଚ ବାଟି ପରିବା ସିଝାରେ ପକାଇ ସିଝାଇବେ । ପରିବା ସିଝିଗଲେ ଶାଗକୁ ଭଲଭାବରେ ଧୋଇ ଦରଦର କଟା କାଟି ପରିବା ସିଝାରେ ପକାଇ ସିଝାଇବେ-। ସିଝିଗଲେ ଓହ୍ଲାଇ ଦେବେ । ଓହ୍ଲାଇବା ପୂର୍ବରୁ ଡାଳଚିନି ଓ ଲବଙ୍ଗ ବାଟି ଦେବେ । ତାକୁ ଗୋଳେଇ ଓହ୍ଲାଇ ଦେବେ । ଆଉ ଗୋଟେ କଡ଼ାଇରେ ଘିଅ ଗରମ କରି ଫୁଟଣ ଓ ତେଜପତ୍ର ପକାଇ ଶାଗକୁ ଓଜାଡ଼ି ଘାଣ୍ଟି ନାଡ଼ି ପକାଇ ଓହ୍ଲାଇ ଦେବେ ।

ପ୍ରସ୍ତୁତ :

ଏବେ ଶାଗ ପ୍ରସ୍ତୁତ ହୋଇଗଲା । ଏହା ଜଗନ୍ନାଥଙ୍କ ଭୋଗ ମଧ୍ୟରୁ ଅନ୍ୟତମ ।

Image

 

ଘିଅ ଅନ୍ନ

ଆବଶ୍ୟକ ସାମଗ୍ରୀ :

କୃଷ୍ଣ ଭୋଗ ଚାଉଳ

-

୫୦୦ ଗ୍ରାମ

ତେଜପତ୍ର

-

୪ ରୁ ୫ ଗୋଟା

ଭଲ ଘିଅ

-

୧୫୦ ଗ୍ରାମ

ଲୁଣ

-

ପରିମାଣ ଅନୁସାରେ

ଖଟା କମଳା

-

୨ ଗୋଟା

ଚିନି

-

୨ ଚାମଚ

ପାଣି

-

୧ ଲିଟର (ନୂଆ ଚାଉଳ ହେଲେ ପାଣି କମ)

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଚୁଲୀରେ ଡେକଚି ବସାଇ ଘିଅ ଗରମ କରନ୍ତୁ । ତା’ପରେ ତେଜପତ୍ର ପକାନ୍ତୁ-। ଚାଉଳକୁ ଧୋଇ ଛାଣି ଘିଅରେ ପକାଇ ଭଜନ୍ତୁ । ଅଳ୍ପ ଭାଜନ୍ତୁ । (ବେଶୀ ଭାଜିଲେ ଲାଲ୍‌ ହୋଇ ଯିବ ଭାଙ୍ଗି ମଧ୍ୟ ଯିବ) ତା’ପରେ ପାଣି ଦିଅନ୍ତୁ । ଅନ୍ନ ଫୁଟି ଆସିଲେ ଲୁଣ ଓ ଚିନି ପକାନ୍ତୁ-। କମଳାରୁ ରସ ବାହାର କରି ରଖନ୍ତୁ । ଅନ୍ନ ହୋଇ ଆସିଲେ କମଳା ରସ ଦେଇ ଗୋଳାନ୍ତୁ । ଆଉଟିକେ ଘିଅ ମଧ୍ୟ ଶେଷରେ ପକାଇ ଗୋଳେଇ ଓହ୍ଲାଇ ଦିଅନ୍ତୁ ।

ପ୍ରସ୍ତୁତ :

ବର୍ତ୍ତମାନ ଘିଅଅନ୍ନ ପ୍ରସ୍ତୁତ ହୋଇଗଲା । ଏହା ଜଗନ୍ନାଥଙ୍କ ଏକ ଅତ୍ୟନ୍ତ ପ୍ରିୟ ଖାଦ୍ୟ ।

Image

 

ସାଧା ଅନ୍ନ

ଆବଶ୍ୟକ ସାମଗ୍ରୀ :

ଚାଉଳ

-

୫୦୦ ଗ୍ରାମ

ପାଣି

-

୧ ଲିଟର

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଚାଉଳ କୁ ଧୋଇ ରଖନ୍ତୁ । ଡେକିଚିରେ ପାଣି ଦିଅନ୍ତୁ । ପାଣି ଫୁଟି ଆସିଲେ ଚାଉଳ ପକାନ୍ତୁ । ଫୁଟି ଫୁଟି ଅନ୍ନ ହୋଇ ଆସିଲେ ତା ଭିତରେ ଅଳ୍ପ ଥଣ୍ଡା ପାଣି ଦେଇ ଗୋଳେଇ ଗାଳି ଦିଅନ୍ତୁ । ତା ପରେ ଅନ୍ନ ଡେକିଚିର ଢାଙ୍କୁଣୀ ଖୋଲି ଦିଅନ୍ତୁ । ନହେଲେ ଅନ୍ନ ଜାଉ ଜାଉ ହୋଇ ଯିବ । ଢାଙ୍କୁଣୀ ଅଧା ଖୋଲି ଦେଲେ ଭଲ । ଏବେ ସାଧା ଅନ୍ନ ପ୍ରସ୍ତୁତ ।

ପ୍ରସ୍ତୁତ :

ଏହା ଜଗନ୍ନାଥଙ୍କ ପ୍ରସାଦ ମଧ୍ୟରୁ ଅନ୍ୟତମ ।

Image

 

କାନିକା

ଆବଶ୍ୟକ ସାମଗ୍ରୀ :

ଚାଉଳ

-

୧ କିଲୋ-କୃଷ୍ଣଭୋଗ-ବାସୁମତି

ଚିନି

-

୩୫୦ ଗ୍ରାମ

ଡାଳଚିନି

-

୫୦ ଗ୍ରାମ

ଲବଙ୍ଗ

-

୫ ଗ୍ରାମ

ଜାଇଫଳ

-

୧/୨ ଚାମଚ ଗୁଣ୍ଡ

କିସମିସ

-

୫୦ ଗ୍ରାମ

ଅଳେଇଚ

-

୮ ଗୋଟା

ବୁଟ ଡଲି

-

୧ ମୁଠା

ତେଜପତ୍ର

-

୨ ଗୋଟା

ଭଲଘିଅ

-

୨୦୦ ଗ୍ରାମ କିମ୍ବା ୩୦୦ ଗ୍ରାମ

ପାଣି

-

୨ କେଜି ବା ୨ ୧/୨ କେଜି

ଲୁଣ

-

ପରିମାଣ ଟିକେ କମ ପକାଇଲେ ଭଲ

ଗୁଜୁରାତି

-

୮ ରୁ ୧୦ ଗୋଟା

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଚୁଲିରେ ଡେକ୍‌ଚି ବସାଇ ପାଣି ଦିଅନ୍ତୁ । ପାଣି ଗରମ ହୋଇ ଆସିଲେ ଡାଳଚିନି କୁ ଅଧାବାଟି ଏଇ ପାଣିରେ ପକାନ୍ତୁ । ଡାଳଚିନି ପୁରା ବାଟି ଦେଲେ ବି ଭଲ ହେବ । ଅଳେଇଚ, ଗୁଜୁରାତି ଅଧାଅଧା ଛେଚି ପକାନ୍ତୁ । ତେଜପତ୍ର, ଲବଙ୍ଗ ମଧ୍ୟ ପକାନ୍ତୁ । ପାଣି ଫୁଟି ଆସିଲେ ଚାଉଳ ଓ ବୁଟ ଡଲି କୁ ଏକାଠି ଧୋଇ ଫୁଟିଆସିବା ପାଣିରେ ପକାନ୍ତୁ । ଚାଉଳ ଫୁଟି ଆସିଲେ ଲୁଣ ପକାନ୍ତୁ । ଅଧା କାନିକା ହୋଇ ଆସିଲେ ଚିନି ଦେଇ ଗୋଳାନ୍ତୁ । ଅଧା ଘିଅ ପକାନ୍ତୁ । କାନିକା ହୋଇ ଆସିଲେ ବାକି ଡାଲଚିନିକୁ ଗୁଣ୍ଡ କରି ପକାନ୍ତୁ । ବାକି ଘିଅ କୁ ମଧ୍ୟ ପକାଇ ଗୋଳେଇ ଦେଖନ୍ତୁ । କାନିକା ହୋଇ ଯାଇଥିବ । ତା’ ପରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ ।

ପ୍ରସ୍ତୁତ :

କାନିକା ପ୍ରସ୍ତୁତ ହୋଇଗଲା । ଏହା ଜଗନ୍ନାଥଙ୍କ ଏକ ପ୍ରଧାନ ଖାଦ୍ୟ । ଏହି କାନିକା ପହିଲି ଭୋଗବେଳେ ତିଆରି ହୁଏ । ଅନ୍ୟ ଦିନେ ମଧ୍ୟ ତିଆରି ହୁଏ ।

Image

 

ଚଢ଼େଇନଦା

ଆବଶ୍ୟକ ସାମଗ୍ରୀ :

କଳାବିରି ଫାଳ

-

୨୫୦ ଗ୍ରାମ

ଚାଉଳ ଗୁଣ୍ଡ

-

୧୦୦ ଗ୍ରାମ

ଘିଅ

-

୩୫୦ ଗ୍ରାମ

ଗୁଡ଼

-

୩୦୦ ଗ୍ରାମ

ପାଣି

-

୧ କପ

 

ପ୍ରସ୍ତୁତି ପ୍ରଣାଳୀ :

ବିରିକୁ ୩ ରୁ ୪ ଘଣ୍ଟା ବତୁରାଇ ଦିଅନ୍ତୁ । ବତୁରିଗଲା ପରେ ତାର ଚୋପ ଛଡ଼ାଇ ଭଲ ଭାବରେ ଧୋଇ ନେଇ ଚିକ୍କଣ କରି ବାଟି ଦିଅନ୍ତୁ। ତା ପରେ ଚାଉଳ ଗୁଣ୍ଡା ମିଶାଇ ତାକୁ ଘିଅରେ ବରା ଛାଣନ୍ତୁ । ବରା ଗୁଡ଼ିକ ହାପ ହୋଇ ଗଲେ ତାକୁ କାଢ଼ିଦିଅନ୍ତୁ । ତାପରେ ତାକୁ ଶୀଳରେ ବାଟି ଦିଅନ୍ତୁ ବା ଗ୍ରାଇଡିଂ କରି ଦିଅନ୍ତୁ । କଡ଼ାଇରେ ଗୁଡ଼ ଓ ପାଣି ଦେଇ ଫୁଟାନ୍ତୁ ଟିକେ ଫୁଟି ବହଳିଆ ହୋଇ ଗଲେ ବିରି ବଟା ପକାଇ ଘାଣ୍ଟନ୍ତୁ । ଅଳ୍ପ ଘାଣ୍ଟି ଲାଲ ହୋଇ ବାସନା ଆସିବ । ଚଢ଼େଇ ନଦା ପରି ଗୁଣ୍ଡ ହୋଇଯିବ ।

 

 

ପ୍ରସ୍ତୁତ :

ତା ପରେ ଏହାକୁ ଓହ୍ଲାଇ ଦିଅନ୍ତୁ । ଏହା ବହୁତ ଦିନ ଧରି ରଖାଯାଇ ପାରିବ । ଏହା ଏକ ଅତ୍ୟନ୍ତ ସ୍ଵାଦଯୁକ୍ତ । ଜଗନ୍ନାଥଙ୍କ ପିଠା ଭୋଗ ମଧ୍ୟରେ ଏହା ଅତ୍ୟନ୍ତ ଲୋକପ୍ରିୟ ।

Image

 

ମୂଳା ରାଇତା

ଆବଶ୍ୟକ ସାମଗ୍ରୀ :

ମୂଳା

-

୪ ଗୋଟା

ବଡ଼ି କିମ୍ବା ନାଡ଼ି

-

୫୦ ଗ୍ରାମ

ଜିରା

-

୧ ଚାମଚ

ଭଜା ଜିରା ଲଙ୍କାଗୁଣ୍ଡ

-

୧ ଚାମଚ

ଦହି

-

୩୦୦ ଗ୍ରାମ

ଧନିଆ ପତ୍ର

-

୨ ବିଡ଼ା

ଲୁଣ

-

ପରିମାଣ

କଞ୍ଚା ଲଙ୍କା

-

୪ ଟା (ଚୁନା ଚୁନା କଟା)

ଚିନି

-

୧ ଚାମଚ

ଘିଅ

-

୨ ଚାମଚ

 

ପ୍ରସ୍ତୁତି ପ୍ରଣାଳୀ :

ମୂଳାକୁ ଭଲ ଭାବରେ ଧୋଇ ଗ୍ରେଟର ରେ କୋରି ଦିଅନ୍ତୁ । ଅଳ୍ପ ଟିକେ ପାଣି ଦେଇ ଫୁଟାଇ ଓହ୍ଲାଇ ଦିଅନ୍ତୁ । ବଡ଼ିକୁ ମଧ୍ୟ ଫୁଟାଇ ଓହ୍ଲାଇ ପାରନ୍ତି । ମୂଳା ଓ ନାଡ଼ି, ଦହି, କଞ୍ଚା ଲଙ୍କା କଟା କୁ ଏକାଠି ଗୋଳାନ୍ତୁ । ଲୁଣ ଓ ଚିନି ପକାଇ ଗୋଳାନ୍ତୁ । କଡ଼ାଇରେ ଘିଅ ପକାଇ ଜିରା ଫୁଟାଇ ମୂଳା ରାଇତାକୁ ଓଜାଡ଼ି ଦିଅନ୍ତୁ । ନାଡ଼ି ପକାଇ ଗୋଳାନ୍ତୁ । ଧନିଆ ପାତ୍ର ପକାଇ ଦିଅନ୍ତୁ ।

ପ୍ରସ୍ତୁତ :

ଏବେ ମୂଳା ରାଇତା ପ୍ରସ୍ତୁତ ହୋଇଗଲା । ପୌଷ ମାସରେ ଜଗନ୍ନାଥଙ୍କ ପ୍ରିୟ ପହିଲି ଭୋଗରେ ଏହା ପରଷା ଯାଏ ।

Image

 

ଫଳ ଖଟା

ଆବଶ୍ୟକ ସାମଗ୍ରୀ :

କଦଳୀ

-

୬ ରୁ ୮ ଗୋଟା

ଆରିଷାପିଠା

-

୧ ଗୋଟା

ସେଓ

-

୨ ଗୋଟା

ତେନ୍ତୁଳିରସ

-

୨ ଚାମଚ

ଅଙ୍ଗୁର

-

୧ ପେନ୍ଥା

ମଇଦା

-

୧ ଚାମଚ’

ନାସ୍‌ପାତି

-

୧ ଗୋଟା

ଘିଅ

-

୨ ଚାମଚ

କମଳା

-

୨ ଗୋଟା

ଫୁଟଣ

-

୧/୨ ଚାମଚ

ନଡ଼ିଆ

-

୧ ଫାଳ (କୋରା)

ଲୁଣ

-

ସାମାନ୍ୟ ଟିକେ, ନଦେଲେ ଚଳିବ ।

ଚିନି

-

୧୦୦ ଗ୍ରାମ

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ କଦଳୀ କୁ ଚକଟି ଦେବେ । ସେଓ, ଅଙ୍ଗୁର ଅନ୍ୟାନ୍ୟ ଯେତିକି ଫଳ ସବୁ ଖଣ୍ଡ ଖଣ୍ଡ ବା ଚୁନା ଚୁନା କାଟି କଦଳୀ ଚକଟାରେ ପକାଇବେ । ନଡ଼ିଆ କୋର ପକାଇବେ । ଚିନି ଓ ତେନ୍ତୁଳି ପକାଇବେ । ଆରିଷା ପିଠାକୁ ଖଣ୍ଡ ଖଣ୍ଡ କରି ପକାଇବେ । ସାମାନ୍ୟ ଟିକେ (୧ ଚିମୁଟା) ଲୁଣ ପକାଇବେ । ମଇଦା ଟିକେ ଗୋଳିଦେବେ । ତା ପରେ ସବୁ ଏକାଠି କରି ଗୋଳେଇ ଦେବେ-। କଡ଼ାଇରେ ଘିଅ ଗରମ କରି ଫୁଟଣ ଫୁଟାଇ ଖଟା ଓଜାଡ଼ି ଗୋଳେଇ ଦେଇ ଓହ୍ଲାଇ ଦେବେ ।

ପ୍ରସ୍ତୁତ :

ବର୍ତ୍ତମାନ ଫଳ ଖଟା ପ୍ରସ୍ତୁତ ହୋଇଗଲା । ନିଜେ ଖାଆନ୍ତୁ ଓ ଖୁଆନ୍ତୁ । ଶୀତ ଦିନରେ ପ୍ରଭୁଙ୍କ ନିକଟରେ ପ୍ରିୟ ପହିଲି ଭୋଗରେ ଲାଗି ହୁଏ ।

Image

 

ବେସର

ଆବଶ୍ୟକ ସାମଗ୍ରୀ :

ପରିବା

-

କଦଳୀ, ବାଇଗଣ, ପୋଟଳ, କଖାରୁ କନ୍ଦମୂଳ

ଘିଅ

-

୧୦୦ ଗ୍ରାମ

ଜିରା

-

୨୦ ଗ୍ରାମ

ତେଜପତ୍ର

-

୫ ରୁ ୭

ପାନମାଧୁରୀ

-

୧୦ ଗ୍ରାମ

ଗୋଟା ଲୁଣ

-

ପରିମାଣରେ

କଞ୍ଚାଲଙ୍କା

-

୨ ରୁ ୪ ଗୋଟା

ଧନିଆପତ୍ର

-

୨ ବିଡ଼ା

ନଡ଼ିଆ

-

୧ ଗୋଟା

ହଳଦୀ ଗୁଣ୍ଡ

-

ପରିମାଣରେ

ଫୁଟଣ

-

୫ ଗ୍ରାମ

ନାଡ଼ି

-

୧୫୦ ଗ୍ରାମ

ସିଝାବୁଟ

-

୧୦୦ ଗ୍ରାମ

ଶୁଖିଲା ଲଙ୍କା

-

୨ ଗୋଟା

 

ପ୍ରସ୍ତୁତି ପ୍ରଣାଳୀ :

ପରିବାକୁ ଗୋଟାଧୋଇ ପରିଷ୍କାର କରି ସାରିବା ପରେ ଛୋଟ ଛୋଟ ଖଣ୍ଡ କାଟି ରଖନ୍ତୁ । ପାଣିରେ ପରିବା, ତେଜପତ୍ର ପକାଇ ଲୁଣ, ହଳଦୀ ଗୁଣ୍ଡ ଦେଇ ସିଝାଇ ଦିଅନ୍ତୁ । ଜିରା, ସୋରିଷ, ପାନମାଧୁରୀ, ଅଦା, କଞ୍ଚାଲଙ୍କାକୁ ଚିକ୍କଣ କରି ବାଟି ରଖନ୍ତୁ । ପରିବା ଅଧାସିଝି ଗଲେ ବଟା ବେସରକୁ ପକାନ୍ତୁ ନଡ଼ିଆ କୋରି ପକାନ୍ତୁ । ପାରିବା ଅଧାସିଝି ଗଲେ ବଟା ବେସରକୁ ପକାନ୍ତୁ ନଡ଼ିଆ କୋରିୟ ପକାନ୍ତୁ । ଏହି ମସଲା ପରିବରେ ସିଝିବା ପାଇଁ ଛାଡ଼ି ଦିଅନ୍ତୁ। ସବୁ ସିଝିଗଲେ ଓହ୍ଲାଇ ଦିଅନ୍ତୁ । ତା ପରେ କଡ଼ାଇରେ ଘିଅ ଗରମ କରି ଶୁଖିଲା ଲଙ୍କା ଛିଡ଼ାଇ ପକାନ୍ତୁ ଓ ଫୁଟଣ ପକାନ୍ତୁ । ଫୁଟଣ ଫୁଟି ଗଲେ ବେସର ଓଜାଡ଼ି ଦିଅନ୍ତୁ । ଗୋଳେଇ ଗଲେଇ ନାଡ଼ି ପକାଇ ଓହ୍ଲାଇ ଦିଅନ୍ତୁ। ଧନିଆ ପତ୍ର କାଟି ଉପରେ ପକାଇ ଅଧା ଘୋଡ଼େଇ ଦିଅନ୍ତୁ ।

ପ୍ରସ୍ତୁତ :

ଏବେ ବେସର ପ୍ରସ୍ତୁତ ହୋଇଗଲା । ଜଗନ୍ନାଥଙ୍କ ପାଖେ ଭୋଗ ଲାଗେ ।

Image

 

ଅବଢ଼ା ପଖାଳ

ଆବଶ୍ୟକ ସାମଗ୍ରୀ :

ଚାଉଳ ବା ଭାତ

-

୫୦୦ ଗ୍ରାମ

ଦହି

-

୫୦୦ ଗ୍ରାମ ଦହି

ପାଣି

-

ଲିଟର

ଅଦା

-

୧ ଖଣ୍ଡ (ଛେଚା ବା ଚୁନା ଚୁନା କାଟି)

କଞ୍ଚାଲଙ୍କା

-

୪ ଟା (ଚୁନା ଚୁନା କଟା)

ଧନିଆ ପତ୍ର

-

୧ ବିଡ଼ା (କଟା)

ଲେମ୍ବୁ ପତ୍ର

-

୮ ଗୋଟା

କାଗଜି ଲେମ୍ବୁ

-

୧ ଗୋଟା ଛୋଟ ଛୋଟ କଟା

ଲୁଣ

-

ସ୍ଵାଦ ଅନୁସାରେ

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଦହିରେ ଅଦା ଛେଚା, କଞ୍ଚାଲଙ୍କା, ଧନିଆ ପତ୍ର ଲେମ୍ବୁ ପତ୍ର, ଲେମ୍ବୁ କଟା ଇତ୍ୟାଦି ପକାଇ ଗୋଳେଇ ଦିଅନ୍ତୁ । ତା ପରେ ଗଳା ହୋଇଥିବା ଅନ୍ନରେ ଏ ଦହି ମିଶ୍ରଣକୁ ପକାଇ ଗୋଳାନ୍ତୁ, ଅଳ୍ପ ଲୁଣ ପକାନ୍ତୁ । ତା ପରେ କିଛି ପାଣି ଦେଇ ଅନ୍ନକୁ ଗୋଳିଆ ଗୋଳି କରି ପଖାଳ ପ୍ରସ୍ତୁତ କରନ୍ତୁ । ଏଇ ପଖାଳ ଖରାଦିନେ ବହୁତ ତିଆରି ହୁଏ ।

ପ୍ରସ୍ତୁତ :

ବର୍ତ୍ତମାନ ଅବଢ଼ା ପ୍ରସ୍ତୁତ ।

Image

 

ଘାଣ୍ଟ ତରକାରୀ

ଆବଶ୍ୟକ ସାମଗ୍ରୀ :

ପରିବା

-

କଖାରୁ, କାକୁଡ଼ି, ପାଣି କଖାରୁ, ଜହ୍ନି, ପୋଟଳ, କାଙ୍କଣ, ଖମ୍ବଆଳୁ, କନ୍ଦମୂଳ-

ନଡ଼ିଆ

-

୧ ଗୋଟାଗଜା

ମୁଗ

-

୧୫୦ ଗ୍ରାମ

ଓଉ

-

୧ ଗୋଟା

ସିଝାସୋଲା

-

୧୫୦ ଗ୍ରାମ

ଅଦା, ଜିରା, ଲଙ୍କା, ପୋସ୍ତ, ଧନିଆ ବଟା

-

୧ ଗିନା

ଗରମ ମସଲା

-

୨ରୁ ୪ ଚାମଚ

ଘିଅ

-

୧୦୦ ଗ୍ରାମ

ଜିରା

-

୨ ରୁ ୩ ଚାମଚ

ହଳଦୀ ଗୁଣ୍ଡ

-

ପରିମାଣ ଅନୁସାରେ

ଲୁଣ

-

ପରିମାଣ ଅନୁସାରେ

ତେଜପତ୍ର

-

୪ ରୁ ୫ ଗୋଟା

ଧନିଆ ପତ୍ର

-

୨ ରୁ ୪ ବିଡ଼ା

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ପରିବା ଗୁଡ଼ିକ କାଟି ଧୋଇ ଦିଅନ୍ତୁ । ଡେକିଚିରେ ପାଣି ଦେଇ ଚୁଲିରେ ବସାନ୍ତୁ ଓ ପରିବା ଗୁଡ଼ିକ ପକାନ୍ତୁ । ହଳଦୀ, ଲୁଣ ପକାନ୍ତୁ ଗୋଟା ସୋଲା ସିଝା ପକାନ୍ତୁ । ନଡ଼ିଆକୋରି ଓ କାଟି ଚୁନା ଚୁନା କରି ପକାନ୍ତୁ । ପରିବା ସିଝି ଗଲେ ଓଉ ଛେଚି ପକାଇ ଓହ୍ଲାଇ ଦିଅନ୍ତୁ । କଡ଼ାଇ ରେ ଘିଅ ଦେଇ ଜିରା ତେଜପତ୍ର ଫୁଟାନ୍ତୁ । ବଟା ମସଲା ପକାଇ ଭଜନ୍ତୁ । ତାପରେ ପାରିବ ସିଝା ପକାଇ ବଘାରନ୍ତୁ । ଗରମ ମସଲା ଦିଅନ୍ତୁ । ଗଜା ମୁଗ ପକାଇ ଗୋଳେଇ ଓହ୍ଲାନ୍ତୁ । ଧନିଆ ପତ୍ର ପକାଇ ଦିଅନ୍ତୁ ।

ପ୍ରସ୍ତୁତ :

ବର୍ତ୍ତମାନ ଘାଣ୍ଟ ତରକାରୀ ପ୍ରସ୍ତୁତ । ଦ୍ଵିତୀୟା ଓଷା ରେ ଘାଣ୍ଟ ତରକାରୀ ଭୋଗ ହୁଏ ଜଗନ୍ନାଥଙ୍କ ପାଖରେ ।

Image

 

ପୋଡ଼ ପିଠା

ଆବଶ୍ୟକ ସାମଗ୍ରୀ :

ବାସୁମତି ଚାଉଳ

-

୧ କିଲୋ

ଚିନି

-

୪୦୦ ଗ୍ରାମ

ନଡ଼ିଆ

-

୨ ଗୋଟା

ନଡ଼ିଆ କଟା

-

୧ ଫାଳ

ପାନମାଧୁରୀ

-

୫୦ ଗ୍ରାମ

ଖୁଆ

-

୨୦୦ ଗ୍ରାମ

ଗୁଜୁରାତି

-

୧୨ ଗୋଟା

ଅଳେଇଚ

-

୪ ରୁ ୫ ଗୋଟା

ଗୋଲମରିଚ

-

୧ ଚାମଚ

ଭଲ ଘିଅ

-

୧୦୦ ଗ୍ରାମ

ଲୁଣ

-

ପରିମାଣ ଅନୁସାରେ

କିସମିସ୍‌

-

୨୦ ରୁ ୨୫ ଗୋଟା

କଦଳୀ ପତ୍ର

-

୨ ଖଣ୍ଡ

 

ପ୍ରସ୍ତୁତି ପ୍ରଣାଳୀ :

ଚାଉଳକୁ ୨ ରୁ ୪ ଘଣ୍ଟା ବତୁରାଇ ଧୋଇ ଗୁଣ୍ଡ କରି ରଖନ୍ତୁ । ନଡ଼ିଆକୁ କୋରି ରଖନ୍ତୁ । ଖୁଆ, ଚିନି କୁ ଦଳି ରଖନ୍ତୁ । ପାନ ମାଧୁରୀ, ଗୁଜୁରାତି, ଗୋଲମରୀଚ, ଅଳେଇଚ ଗୁଣ୍ଡକରି ରଖନ୍ତୁ । ଡେକିଚିରେ ଚୁନାକୁ ଦେଖି ପାଣି ବସାନ୍ତୁ । ପାଣି ଗରମ ହେଲେ ପାନମାଧୁରୀ ଗୁଣ୍ଡ, ନଡ଼ିଆ କଟା ଓ କୋରା ପକାନ୍ତୁ । ପାଣି ଫୁଟି ଗଲେ ଖୁଆ, ଚିନି ଦଳାକୁ ପକାଇ ଫୁଟାନ୍ତୁ । ଗୁଜୁରାତି, ଗୋଲମରିଚ, ଅଳେଇଚ ଗୁଣ୍ଡ ପକାନ୍ତୁ । ଘିଅ ୨ ରୁ ୪ ଚାମଚ ପକାଇ ଫୁଟାନ୍ତୁ । ପାଣି ଫୁଟି ଫୁଟି ସିଝି ଆସିଲେ କିସ୍‌ମିସ୍‌ ପକାଇ ଅଳ୍ପ ଅଳ୍ପ ଚାଉଳ ଚୁନ ପକାଇ ଜନ୍ତନ୍ତୁ । ଜନ୍ତାକୁ ମଧ୍ୟ ଅଳ୍ପ ଜାଳରେ ସିଝିବାକୁ ଦିଅନ୍ତୁ । ଜନ୍ତଣି ସିଝି୍‌ ଗଲେ ଓହ୍ଲାଇ ଥଣ୍ଡା କରନ୍ତୁ । କଦଳୀ ପତ୍ରରେ ଘିଅ ମାରି କଡ଼େଇରେ ରଖନ୍ତୁ କିମ୍ବା ଓଭନ ଡିସ୍‌ ରେ ରଖନ୍ତୁ । କଦଳୀ ପତ୍ର ରେ ଏହି ଜନ୍ତଣିକୁ ରଖନ୍ତୁ-। ଘିଅ ହାତକାରୀ ଚାପି ଚାପି ରଖନ୍ତୁ । ତାକୁ ସେଟ୍‌ କରି ତା ଉପରେ ପତ୍ର ପକାଇ ନିଆଁ କରି ପୋଡ଼ନ୍ତୁ ନଚେତ ଓଭନରେ ପୋଡ଼ନ୍ତୁ । ୨ ରୁ ୩ ଘଣ୍ଟା ପରେ ଦେଖନ୍ତୁ ପିଠା ସିଝିଗଲେ ଓହ୍ଲାଇ ଦିଅନ୍ତୁ ।

ପ୍ରସ୍ତୁତ :

ଏବେ ତିଆରି ହୋଇଗଲା ପୋଡ଼ପିଠା । ମହାପ୍ରଭୁ ମାଉସୀମାଙ୍କ ଘରେ ଏହା ଖାଇଥାଆନ୍ତି ।

Image

 

ବିରି ଡାଲି ପୋଡ଼ପିଠା

ଆବଶ୍ୟକ ସାମଗ୍ରୀ :

ବିରି ଡାଲି

-

୫୦୦ ଗ୍ରାମ

ନଡ଼ିଆକୋରା

-

୧ ୧/୨ କପ

ଚାଉଳ ସୁଜି

-

୪୦୦ ଗ୍ରାମ

ଗୁଜୁରାତି ଗୁଣ୍ଡ

-

୨ ଚାମଚ

ଚିନି

-

୨୫୦ ଗ୍ରାମ

ଲୁଣ

-

ସ୍ଵାଦ ଅନୁସାରେ

 

ପ୍ରସ୍ତୁତି ପ୍ରଣାଳୀ :

ବିରି ଡାଲିକୁ ୨ ରୁ ୪ ଘଣ୍ଟା ବତୁରାଇ ଦିଅନ୍ତୁ । ପାଣିରୁ ଛାଣି ଶୁଖିଲା ଶୁଖିଲା ବାଟି ଦିଅନ୍ତୁ । ପରେ ଏହା ସହିତ ଚାଉଳ ସୁଜି, ନଡ଼ିଆକୋରା, ଗୁଜୁରାତି ଗୁଣ୍ଡ ଓ ଲୁଣ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହି ଗୋଳାକୁ ୧ ଘଣ୍ଟା ରାଖି ଦିଅନ୍ତୁ । ତାପରେ ଚିନି ଗୋଳେଇ ଅନ୍ୟ ଏକ ପାତ୍ରରେ ଘିଅ ଲଗାଇ ଏହି ମିଶ୍ରଣକୁ ଓଜାଡ଼ି ହାଲକା ଆଞ୍ଚରେ ପୋଡ଼ନ୍ତୁ କିମ୍ବା ଓଭନରେ ବେକ୍‌ କରନ୍ତୁ । ଓଭନରେ ବେକ୍‌ କଲେ ୩୦ ରୁ ୩୫ ମିନିଟ ପର୍ଯ୍ୟନ୍ତ ବେକ୍‌ କରନ୍ତୁ । ହୁଇସିଲ ନ ଦେଇ ପ୍ରେସର କୁକର ଦ୍ଵାରା ମଧ୍ୟ ବେକ୍‌ କରିପାରିବେ ।

ପ୍ରସ୍ତୁତ :

ଏବେ ବିରି ପୋଡ଼ପିଠା ପ୍ରସ୍ତୁତ ହେଲା । ପିଠାକୁ ଥଣ୍ଡାକରି ଖାଇବାକୁ ଦିଅନ୍ତୁ । ଶ୍ରୀ ଜଗନ୍ନାଥଙ୍କ ପାଖରେ ବିରି ପୋଡ଼ପିଠା ଭୋଗ ହୁଏ ।

Image

 

ଚିତଉ ପିଠା

ଆବଶ୍ୟକ ସାମଗ୍ରୀ :

ଅରୁଆ ଚାଉଳ

-

୫୦୦ ଗ୍ରାମ

ନଡ଼ିଆ

-

୧ ଗୋଟା

ଲୁଣ

-

ସ୍ଵାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଚାଉଳକୁ ରାତିରେ ବତୁରାଇ ଦିଅନ୍ତୁ । ସକାଳେ ଭଲଭାବରେ ଚାଉଳକୁ ଧୋଇ ଛାଣି ଦିଅନ୍ତୁ । ନଡ଼ିଆକୁ କୋରି ଚାଉଳରେ ମିଶାଇ ଦିଅନ୍ତୁ । ତା ପରେ ଚାଉଳ ନଡ଼ିଆକୁ ଚିକ୍କଣ କରି ବାଟି ଦିଅନ୍ତୁ । ବାଟିଦେଇ ୨ରୁ୩ ଘଣ୍ଟା ରଖି ଦିଅନ୍ତୁ, ସେ ଫୁଲି ଆସିଲେ ସେଥିରେ ଲୁଣ ଓ ଦରକାର ମୁତାବକ ପାଣି ଦେଇ ଗୋଳେଇ କଡ଼େଇରେ ଗୋଟେ ଡଙ୍କି ପିଠଉ ଦେଇ ଗୋଟେ ଢାଙ୍କୁଣୀ (ବା ସରା) ଘୋଡ଼ାଇ ଦିଅନ୍ତୁ । ସରା ଚାରିକଡ଼ରେ ପାଣି କନା ଗୁଡ଼ାଇ ଦିଅନ୍ତୁ । ଟିକେ ସିଝିଗଲେ ସାଙ୍ଗେ ସାଙ୍ଗେ ଚିତଉ ପିଠା କଡ଼ାଇରୁ କାଢ଼ି ଦେଇ ଆଉ ଗୋଟେ ପିଠା ଲଦି ଦିଅନ୍ତୁ ।

ପ୍ରସ୍ତୁତ :

ବର୍ତ୍ତମାନ ଚିତଉ ପିଠା ପ୍ରସ୍ତୁତ । ଏହି ପିଠା ଶ୍ରାବଣ ମାସ ଚିତଉ ଅମାବାସ୍ୟାରେ ଠାକୁରଙ୍କ ପାଖରେ ଭୋଗ ହୁଏ ।.

Image

 

କାକରା ପିଠା

ଆବଶ୍ୟକ ସାମଗ୍ରୀ :

ଅଟା

-

୫୦୦ ଗ୍ରାମ

ନଡ଼ିଆ

-

୨ ଗୋଟା

ଗୁଡ଼

-

୩୦୦ ଗ୍ରାମ

ଗୁଜୁରାତି ଗୁଣ୍ଡ

-

୧ ଚାମଚ

ପାଣି

-

ଅଟାଗୁଡ଼ିକୁ ଦେଖି ଦେବେ

ଲୁଣ

-

ପରିମାଣ ଦେଖି

ଘିଅ

-

ଛାଣିବା ପାଇଁ

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଡେକ୍‌ଚିରେ ପାଣି ଦେଇ ଗୁଡ଼ ଓ ଲୁଣ ପକାନ୍ତୁ । ସେ ଫୁଟି ଗଲେ ଅଟାକୁ ପକାଇ ଜନ୍ତାଣି ତିଆରି କରନ୍ତୁ । ସେ ସିଝିଗଲେ ଓହ୍ଲାଇ ଦେଇ ଥଣ୍ଡା ରଖନ୍ତୁ । ଥଣ୍ଡା ହେଲେ ତାକୁ ପାଣି ପକାଇ ଚକଟି ରଖନ୍ତୁ । ନଡ଼ିଆ କୋରାରେ ଚିନି କିମ୍ବା ଗୁଡ଼ ଦେଇ ଗୋଳାନ୍ତୁ ବା କଡ଼ାଇରେ ଭାଜି ଦିଅନ୍ତୁ । ଗୁଜୁରାତି ଗୁଣ୍ଡ ପକାଇ ଗୋଳାନ୍ତୁ । ଚକଟା ଖଳି କୁ ଗୁଳା କରି ଗୋଟିଏ ଗୋଟିଏ ପୁରଦେଇ ଗଢ଼ି ଛାଣି ରଖନ୍ତୁ । ଏଇ କାକରା ପିଠା ମଇଦା, ସୁଜିରେ ମଧ୍ୟ ତିଆରି କରାଯାଇ ପାରିବ ।

ପ୍ରସ୍ତୁତ :

ପ୍ରସ୍ତୁତ ହୋଇଗଲା କାକରାପିଠା । ପ୍ରତି ପର୍ବ ପର୍ବାଣିରେ କାକରା ପିଠା ପ୍ରାୟ ତିଆରି ହୋଇ ଶ୍ରୀ ଜଗନ୍ନାଥଙ୍କ ପାଖରେ ଭୋଗ ଲାଗେ ।

Image

 

ଶ୍ରୀଖଣ୍ଡ

ଆବଶ୍ୟକ ସାମଗ୍ରୀ :

ବସାଦହି

-

୫୦୦ ଗ୍ରାମ

ପାଉଡ଼ର ଚିନି

-

୨୦୦ ଗ୍ରାମ

ଗୁଜୁରାତି ଗୁଣ୍ଡ

-

୧ ଚାମଚ

 

ପ୍ରସ୍ତୁତି ପ୍ରଣାଳୀ :

ବସା ଦହିକୁ ପତଳା କନାରେ ବାନ୍ଧି ୪ ରୁ ୫ ଘଣ୍ଟା ଟାଙ୍ଗୀଦିଅନ୍ତୁ । ସେଥିରୁ ପାଣି ନିଗିଡ଼ି ଗଲେ ତା ଭିତରେ ପାଉଡ଼ର ଚିନି ମିଶାଇ ଚାଲୁଣିରେ କିମ୍ବା ପତଳା କନାରେ ଚଳାଇ ଦିଅନ୍ତୁ । ଚଳାଇ ଦେଲେ ଶ୍ରୀଖଣ୍ଡ ବହୁତ ଟେଷ୍ଟ ଲାଗିବ । ଦହି ଚଳାଇ ସାରି ତା ଭିତରେ ଗୁଜୁରାତି ଗୁଣ୍ଡ ମିଶାଇ ଫ୍ରିଜରେ ରଖନ୍ତୁ ଥଣ୍ଡା ଥଣ୍ଡା ଖାଇବାକୁ ଦିଅନ୍ତୁ ।

ପ୍ରସ୍ତୁତ :

ଏବେ ଶ୍ରୀଖଣ୍ଡ ପ୍ରସ୍ତୁତ ହୋଇଗଲା । କେଶର ମଧ୍ୟ ପକାଇ ପାରିବେ । ପ୍ରଭୁଙ୍କରା ଛପନ ଭୋଗ ମଧ୍ୟରେ ଏହା ସ୍ଥାନ ପାଇଛି ।

Image

 

ଆରିସା ପିଠା

ଆବଶ୍ୟକ ସାମଗ୍ରୀ :

ଚାଉଳ

-

୧ କିଲୋ

ପାଣି

-

୨ରୁ ୩ ଚାମଚ

ଗୁଡ଼

-

୪୫୦ ଗ୍ରାମ

ଘିଅ

-

ଛଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ :

ଚାଉଳ ୪ ରୁ ୫ ଘଣ୍ଟା ବତୁରାଇ ଦେବେ । ଚାଉଳ ସଜତିନ୍ତା ହେବା ଦରକାର । ରାତିରେ ବତୁରାଇବେ ନାହିଁ । ବତୁରିଯିବା ପରେ ତାକୁ ଛାଣି ହେମଦସ୍ତା କିମ୍ବା ଗ୍ରାଇଣ୍ଡରରେ ଗୁଣ୍ଡ କରି ଦିଅନ୍ତୁ ।

ଏହା ପରେ କଡ଼େଇରେ ପାଣି ଦେଇ ଗୁଡ଼ ପକାନ୍ତୁ । ଗୁଡ଼ ଫୁଟି ପାଗ ହେଲେ ଅନ୍ୟଏକ ଗିନାରେ ଗିନାଏ ପାଣି ନେଇ ପାଗ ଗୁଡ଼କୁ ପାଣିରେ ପକାନ୍ତୁ । ଦେଖିବେ ଗୁଡ଼ ଗୁଳାବାନ୍ଧି ଆସିଲା ଏବେ ଏଇ ଫୁଟୁଥିବା ଗୁଡ଼ରେ ଚାଉଳ ଗୁଣ୍ଡାକୁ ଅଳ୍ପ ଅଳ୍ପ ପକାଇ ଜନ୍ତିବେ । ଜନ୍ତାକୁ ଓହ୍ଲାଇ କଦଳୀ ପତ୍ରକୁ ଓଜାଡ଼ି ଦେଇ ଟିକେ ଥଣ୍ଡା କରି ଦେବେ । ତା ପରେ କଡ଼ାଇରେ ଘିଅ ଗରମ କରି, ଜନ୍ତଣିକୁ ପୁରି ଗୁଳାଠୁ ଟିକେ ବଡ଼ ବଡ଼ ଗୁଳା ନେଇ ପତ୍ରରେ ଘିଅ ଲଗାଇ ହାତରେ ତାରି ଦେଇ ଗୋଟିଏ ଗୋଟିଏ ଆରିସା ଛାଣି ରଖିବେ । ଏହାକୁ ମାସେ ପର୍ଯ୍ୟନ୍ତ ରଖାଯାଇ ପାରିବ ।

 

ପ୍ରସ୍ତୁତ :

ଏବେ ପ୍ରସ୍ତୁତ ହୋଇଗଲା ଆରିସା ପିଠା । ଏହା ଜଗନ୍ନାଥଙ୍କ ନିକଟରେ ଭୋଗ ଲାଗେ-

Image

 

ଚନ୍ଦ୍ରକାନ୍ତି ପିଠା

ଆବଶ୍ୟକ ସାମଗ୍ରୀ :

ମୁଗ (ଚୋପାଛଡ଼ା )

-

୨୫୦ ଗ୍ରାମ

ଅରୁଆ ଚାଉଳ

-

୨ ଟେବୁଲ ଚାମଚ

ଚିନି

-

୨୦୦ ଗ୍ରାମ

ଘିଅ

-

ଛାଣିବା ପାଇଁ

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଡେକ୍‌ଚିରେ ପାଣି ଚିନି ପକାଇ ଦିଅନ୍ତୁ । ଚାଉଳ ଓ ମୁଗକୁ ଦୁଇ ଘଣ୍ଟା ବତୁରାଇ ଚିକ୍କଣ କରି ବାଟି ଏଇ ପାଣିରେ ପକାଇ ଘାଣ୍ଟନ୍ତୁ । ଏହାକୁ ବାରମ୍ବାର ଘଣ୍ଟୁଥିବା ଯେପରି ତଳ ଲାଗି ନଯାଏ । ଗ୍ୟାସ ସ୍ଲୋ କରି ଦିଅନ୍ତୁ ଘାଣ୍ଟିବା ସମୟରେ । ମୁଗବଟା ଜନ୍ତି ହୋଇ ସିଝି ଯିବ । ଆଉ ବହଳିଆ ହୋଇ ଆସିବା । ଗୋଟେ ଗାମୁଛା କିମ୍ବା ଧଳା କନାକୁ ଓଦା କରି ଚିପୁଡ଼ି ପାରି ଦେଇ ଏଇ ମୁଗ ଜନ୍ତଣିକୁ ଅଜାଡ଼ି ଦେଇ ସାଙ୍ଗେ ସାଙ୍ଗେ ଲୁହ ଖଡ଼ିକାରେ ବା ଚଟୁ ସାହାଯ୍ୟରେ ଜନ୍ତଣିକୁ ପତଳା ଆକାରରେ ଲାମ୍ବା କର ଦେବେ । ତା ପରେ ତାକୁ ଡାଇମଣ୍ଡ କଟ୍‌ ସେଫ୍‌ରେ କାଟିଦେବେ । ଓଦା କନାରେ ପକାଇ କାଟିଲେ ଶୀଘ୍ର ଉଠିଯିବ। କୌଣସି ବାସନରେ ଜନ୍ତଣିକୁ ପକାଇଲେ ଭଲ ଉଠିବ ନାହିଁ । ତା ପରେ ଘିଅ ଗରମ କରି ଚନ୍ଦ୍ର କାନ୍ତି ଛାଣି ରଖନ୍ତୁ ।

ପ୍ରସ୍ତୁତ :

ଏବେ ଚନ୍ଦ୍ରକାନ୍ତି ପ୍ରସ୍ତୁତ ହୋଇଗଲା । ଏହା ଶ୍ରୀ ଜଗନ୍ନାଥଙ୍କ ନିକଟରେ ଭୋଗ ହୁଏ ।

Image

 

ଚାଉଳ କ୍ଷୀରୀ

ଆବଶ୍ୟକ ସାମଗ୍ରୀ :

କ୍ଷୀର

-

୨ ଲିଟର

ଖୁଆ

-

୫୦ ଗ୍ରାମ

କ୍ଷୀରୀ ଚାଉଳ

-

୪ ରୁ ୫ ଚାମଚ

ଗୁଜୁରାତି ଗୁଣ୍ଡ

-

୨ ଚାମଚ

କର୍ପୁର

-

୧ ଚିମୁଟା

ଚିନି

-

୨୦୦ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ :

କ୍ଷୀରକୁ ଚୁଲିରେ ବସାନ୍ତୁ । କ୍ଷୀର ଫୁଟିଆସିଲେ ଚାଉଳକୁ ଧୋଇ ପକାନ୍ତୁ । କ୍ଷୀର ଫୁଟି ଫୁଟି ଗାଢ଼ା ହୋଇ ଆସୁଥିବ, ତାଭିତରେ ଚାଉଳ ମଧ୍ୟ ସିଝି ଯାଇଥିବା ତିନି ଭାଗ ହୋଇ ଯିବା ପରେ ଖୁଆ ଓ ଚିନି ଏକାଠି ଗୋଳେଇ କ୍ଷୀରୀରେ ପକାନ୍ତୁ । ଗୁଜୁରାତି ଗୁଣ୍ଡ କରି ପକାନ୍ତୁ । ସେ ଫୁଟି ଫୁଟି ସିଝି ଗାଢ଼ା ହୋଇଗଲେ କର୍ପୁର ଦେଇ ଓହ୍ଲାଇ ଦିଅନ୍ତୁ ।

ପ୍ରସ୍ତୁତ :

ଏବେ କ୍ଷୀରୀ ପ୍ରସ୍ତୁତ ହୋଇଗଲା । ଏହି କ୍ଷୀରୀ ମାଘ ମାସ ପଦ୍ମ ବେଶ ଓ ଗଜ ଉଦ୍ଧାରଣ ବେଶରେ ପୂର୍ଣ୍ଣିମା ଦିନ ଭୋଗ ଲାଗି ହୁଏ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ।

Image

 

ସୁଜି କ୍ଷୀରୀ

ଆବଶ୍ୟକ ସାମଗ୍ରୀ :

କ୍ଷୀରୀ

-

୧ ୧/୨ ଲିଟର

କିସ୍‌ମିସ୍‌

-

୧୫ ରୁ ୨୦ ଗୋଟା

ଚିନି

-

୧୫୦ ଗ୍ରାମ

ଭଲ ଘିଅ

-

୨ ଚାମଚ

ସୁଜି

-

୧ ମୁଠା – ୪ ଚାମଚ

କର୍ପୁର

-

୧ ଚିମୁଟା

ଗୁଜୁରାତି ଗୁଣ୍ଡ

-

୨ ଚାମଚ

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ସୁଜିକୁ ଖାଲି ଭାଜି ରଖିଦିଅନ୍ତୁ । ହାଲକାରେ ଭାଜିବେ । ଲାଲ୍‌ କରିବେ ନାହିଁ-। ତା ପରେ କ୍ଷୀର ବସାନ୍ତୁ । କ୍ଷୀର ଫୁଟି ଗଲେ ସୁଜି ପକାଇ ଗୋଳାନ୍ତୁ ଯେପରି ମୁଣ୍ଡା ନ ହୁଏ ତଳ ମଧ୍ୟ ଲାଗି ନଯାଏ ସେଥିପ୍ରତି ଧ୍ୟାନ ଦେବେ । କ୍ଷୀର ପୁରା ଘାଣ୍ଟୁଥିବେ ନହେଲେ ତଳେ ଲାଗି ଯିବାର ସମ୍ଭାବନା । କ୍ଷୀରୀ ଫୁଟି ଫୁଟି ଅଧା ହୋଇଗଲେ ଚିନି ପକାନ୍ତୁ । ଗୁଜୁରାତିଗୁଣ୍ଡ ପକାନ୍ତୁ । କିସ୍‌ମିସ୍‌ ଘିଅରେ ଭାଜିପକାନ୍ତୁ । ବାକି ଘିଅ କ୍ଷୀରୀରେ ପକାଇ ଗୋଳେଇ ଦିଅନ୍ତୁ । ପୁରା କ୍ଷୀରୀ ବହଳିଆ ହୋଇ ଆସିଲେ ଓହ୍ଲାଇ ଦିଅନ୍ତୁ । କର୍ପୂର ଟିକେ ପକାଇ ଗୋଳେଇ ଦିଅନ୍ତୁ ।

ପ୍ରସ୍ତୁତ :

ବର୍ତ୍ତମାନ କ୍ଷୀରୀ ପ୍ରସ୍ତୁତ । ଏହି କ୍ଷୀରୀ ପଦ୍ମବେଶ କୃଷ୍ଣ ପକ୍ଷ ତୃତୀୟାରେ ଓ ଗଜ ଉଦ୍ଧାରଣ ପୂର୍ଣ୍ଣିମାରେ ଭୋଗ ହୁଏ ।

Image

 

ଚୂଡ଼ା କଦମ୍ବା

ଆବଶ୍ୟକ ସାମଗ୍ରୀ :

ଚୂଡ଼ା ଗୁଣ୍ଡ

-

୫୦୦ ଗ୍ରାମ

ସର

-

୧ କପ

ନଡ଼ିଆ

-

୩ ଗୋଟା

କିସ୍‌ମିସ୍‌

-

୨୦ ଗୋଟା

ଚିନି

-

୨୦୦ ଗ୍ରାମ

ଭଲଘିଅ

-

୨୦୦ ଗ୍ରାମ

ଗୁଜୁରାତି ଗୁଣ୍ଡ

-

୨ ଚାମଚ

 

 

 

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ନଡ଼ିଆକୁ କୋରି ଅଳ୍ପ ଉଷୁମ ପାଣିରେ ତାର ରସବାହାର କରିଦିଅନ୍ତୁ । ଚୂଡ଼ା ଓ ଚିନି କୁ ମିଶାନ୍ତୁ । ଚିନି ମିଶିଗଲା ପରେ ସର ପକାଇ ମିଶାନ୍ତୁ । ତା ପରେ ନଡ଼ିଆ ରସ ପକାଇ ଭଲ ଭାବରେ ମିଶାନ୍ତୁ । ନଡ଼ିଆ ରସ ମିଶିଗଲା ପରେ ଘିଅ ଓ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବରେ ଦଳନ୍ତୁ । ଏଥିରେ ଅଧିକ ଘିଅ ଦରକାର ହୁଏ । ଆଉ ମିଠା ଦରକାର ହେଲେ ୫୦ ଗ୍ରାମ ଚିନି ପକାଇ ପାରନ୍ତି । ଚୂଡ଼ା କଦମ୍ବା ନଡ଼ିଆ ରସରେ ତିଆରି ହୁଏ ।

ପ୍ରସ୍ତୁତ :

ଏବେ ଚୂଡ଼ା କଦମ୍ବା ପ୍ରସ୍ତୁତ ହୋଇଗଲା । ଜଗନ୍ନାଥଙ୍କ ପାଖରେ ଭୋଗ ହୁଏ ଏବଂ ବୈଶାଖମାସ ସରନ୍ତି ସୋମବାରେ ଲୋକନାଥଙ୍କ ପାଖରେ ଭୋଗ ଲାଗେ ।

Image

 

ଚୂଡ଼ା ଘସା

ଆବଶ୍ୟକ ସାମଗ୍ରୀ :

ଚୂଡ଼ା ଗୁଣ୍ଡ

-

୫୦୦ ଗ୍ରାମ

ଗୋଲମରିଚ ଗୁଣ୍ଡ

-

୧ ଚାମଚ

ଚିନି

-

୩୦୦ ଗ୍ରାମ

ମହୁ

-

୫ ଗ୍ରାମ

ନଡ଼ିଆ

-

୨ ଗୋଟା

କର୍ପୂର

-

୧ ଚାମଚ

ଗୁଜୁରାତି

-

୮ ରୁ ୧୦ ଗୋଟା

ଘିଅ

-

୧୫୦ ଗ୍ରାମ

ଅଳେଇଚ

-

୫ ଗୋଟା

 

 

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ନଡ଼ିଆ କୋରି ଚୁଡ଼ାଗୁଣ୍ଡରେ ପକାଇ ତାଟ କିମ୍ବା ବଡ଼ ପରାତ ଥାଳିରେ ଘସନ୍ତୁ। ଚୂଡ଼ା ନଡ଼ିଆ ଭଲ ଭାବରେ ଘଷି ସାରିଲା ପରେ ଚିନି ଦେଇ ଦୁଇ ହାତରେ ଘସନ୍ତୁ । ଘିଅ ପକାଇ ଭଲ ଭାବରେ ମିଶାନ୍ତୁ । ଦେଖିବେ ଚୂଡ଼ା ଗୁଣ୍ଡ ଝରି ନପଡ଼େ । ଦରକାର ପଡ଼ିଲେ ଆଉ ଘିଅ ଦେଇ ପାରନ୍ତି । ତା’ ପରେ ମହୁ ଗୁଜୁରାତି ଗୁଣ୍ଡ, ଅଳେଇଚ ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ ପକାଇ ଗୋଳାନ୍ତୁ । ସବୁ ମିଶି ଗଳାପରେ କର୍ପୂର ଟିକେ ପକାଇ ଦଳି ଦିଅନ୍ତୁ ।

ପ୍ରସ୍ତୁତ :

ଏବେ ଚୂଡ଼ା ଘସା ପ୍ରସ୍ତୁତ ହୋଇଗଲା । ଏହା ଜଗନ୍ନାଥଙ୍କ ପାଖରେରେ ଭୋଗ ହୁଏ । ବିଶେଷକରି ବୈଶାଖ ମାସ ସରନ୍ତି ସୋମବାରରେ ଲୋକନାଥଙ୍କ ନିକଟରେ ଭୋଗ କରାଯାଏ ।

Image

 

ବିରିଗୁଳି

ଆବଶ୍ୟକ ସାମଗ୍ରୀ :

ବିରି ଡାଲି

-

୨୫୦ ଗ୍ରାମ

ଗୁଡ଼ କିମ୍ବା ଚିନି

-

ପରିମାଣ ଦେଖି

ଚାଉଳ ଚୁନା

-

୧/୨ କପ

ଲୁଣ

-

ସ୍ଵାଦ ଅନୁସାରେ

ନଡ଼ିଆ କୋରା

-

୧ କପ

କର୍ପୂର

-

୧ ଚିମୁଟା

ଗୋଲମରୀଚ ଗୁଣ୍ଡ

-

୧/୪ ଚାମଚ

ଛାଣିବା ପାଇଁ ଘିଅ

-

୨୫୦ ଗ୍ରାମ

ଅଳେଇଚ ଗୁଣ୍ଡ

-

୧ ଚାମଚ

 

 

 

ପ୍ରସ୍ତୁତି ପ୍ରଣାଳୀ :

ବିରିକୁ ରାତିରେ ବତୁରାଇ ଦିଅନ୍ତୁ । ତାକୁ ଧୋଇ ଛାଣି ଶୁଖିଲା ବାଟି ଦିଅନ୍ତୁ । ଏହି ବାଟାକୁ ଭଲ ଭାବରେ ଫେଣ୍ଟି ନିଅନ୍ତୁ । ଗୁଡ଼ ପକାଇ ଗୋଳାନ୍ତୁ । ସେ ଟିକେ ପାଣିଆ ହୋଇଯିବ ତା ପରେ ଚାଉଳ ଚୂନା ପକାଇ ଗୋଳାଇ ଦିଅନ୍ତୁ । ଟିକେ ଶୁଖିଲା ଆସି ଯିବ । ନଡ଼ିଆ କୋରା ମସଲାଗୁଣ୍ଡ, କର୍ପୂର ଓ ଲୁଣ ପକାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । କଡ଼ାଇରେ ଘିଅ ଗରମ କରି ବିରିକୁ ଗୁଲୁଗୁଲା ଛାଣିଲା ପରି ଟିକି ଟିକି ଗୋଲ ଗୋଲ ଛାଣି ରଖନ୍ତୁ ।

ପ୍ରସ୍ତୁତ :

ଏବେ ବିରିଗୁଳି ତିଆରି ହୋଇଗଲା । ଏହା ଛପନ ଭୋଗରେ ମଧ୍ୟ ସ୍ଥାନ ପାଇଛି ।

Image

 

ଲୁଣି ଖୁରୁମା

ଆବଶ୍ୟକ ସାମଗ୍ରୀ :

ଅଟା

-

୨୫୦ ଗ୍ରାମ

ଘିଅ

-

୩୦୦ ଗ୍ରାମ

ଜୁଆଣୀ

-

୧ ଚାମଚ

ଲୁଣ

-

ପରିମାଣ ଅନୁସାରେ

ପାଣି

-

ପରିମାଣ ଅନୁସାରେ

 

ପ୍ରସ୍ତୁତି ପ୍ରଣାଳୀ :

ଅଟାରେ ୨ ରୁ ୪ ଚାମଚ ଘିଅ, ଜୁଆଣୀ ଓ ଲୁଣ ପକାଇ ଭଲ ଭାବରେ ଗୋଳେଇ ଦିଅନ୍ତୁ । ତା’ପରେ ଅଳ୍ପ ପାଣି ପକାଇ ଚକଟି ଦିଅନ୍ତୁ । କଡ଼ାଇରେ ଘିଅ ଗରମ କରି ଚକଟା ଅଟାକୁ ପୁରି ଚୁଳା ପରି ଛିଡ଼ାଇ ହାତରେ ଗୋଲ ଗୋଲ କରି ପେଡ଼ାପରି ଚାପି ଚାପି ଲୁଣି ଖୁରମାକୁ ଘିଅରେ ଛାଣି ରଖନ୍ତୁ ।

ପ୍ରସ୍ତୁତ :

ଏବେ ପ୍ରସ୍ତୁତି ହୋଇଗଲା ଲୁଣି ଖୁରୁମା ।

Image

 

ଗୋଟା ବାଇଗଣ

ଆବଶ୍ୟକ ସାମଗ୍ରୀ :

ପେଣ୍ଡି ବାଇଗଣ ଗୋଟା ସାଇଜର କିମ୍ବା ମାଧ୍ୟମ ସାଇଜର ।

ବାଇଗଣ

-

୫୦୦ ଗ୍ରାମ

ଗୋଲମରିଚ

-

୧ ଚାମଚ

ଘିଅ

-

୧୫୦ ଗ୍ରାମ

ଜିରା

-

୨ ବଡ଼ ଚାମଚ

ବିରିବଟା

-

୧ କପ

ଲବଙ୍ଗ

-

୮ ରୁ ୧୦ ଗୋଟା

ତେଜପତ୍ର

-

୪ ରୁ ୫ ଗୋଟା

ନଡ଼ିଆ ରସ

-

୧ କପ

ଫୁଟଣ

-

୧ ଚାମଚ

ଲୁଣ

-

ପରିମାଣ

ଧନିଆଁ

-

୨ ବଡ଼ ଚାମଚ

ହଳଦୀ

-

ଅଧ ଚାମଚ

ଡାଲଚିନି

-

୪ ରୁ ୫ ଖଣ୍ଡ

 

 

 

 

ପ୍ରସ୍ତୁତି ପ୍ରଣାଳୀ :

ବାଇଗଣ ଧୋଇ ତା ନାଶି ପାଖ ଟିକେଟିକେ କାଟି ଦେବେ । ଡେମ୍ପ ପୁରା କଟିବେ ନାହିଁ । ଡେମ୍ପ ରହିବ । ବାଇଗଣକୁ ଚାରି ଖଣ୍ଡ କରି କାଟିବେ ଯେପରି ଗୋଟା ଥିବ । ସବୁ ବାଇଗଣ କାଟି ଘିଅରେ ଛାଣି ରଖନ୍ତୁ । ବିରି ବଟାକୁ ବଡ଼ି ପରି ଛାଣି ରଖନ୍ତୁ । ବାକି ଘିଅରେ ଫୁଟଣ, ତେଜପତ୍ର ଫୁଟାଇ ଧନିଆ, ଜିରା, ଗୋଲମରିଚକୁ ବାଟି ଏଇ ଫୁଟଣରେ ପକାଇ କଷନ୍ତୁ-। ତା’ପରେ ନଡ଼ିଆରସ ଓଜାଡ଼ନ୍ତୁ । କିମ୍ବା ନଡ଼ିଆ ୧ ଫାଳ ଚିକଣ କରି ବାଟି ଦେଇପାରନ୍ତି-। ତା’ପରେ ଗୋଟା ବାଇଗଣ ଛଣା, ବିରି ଛଣା ପକାଇ ଫୁଟାନ୍ତୁ । ଦରକାର ପଡ଼ିଲେ ପାଣି ଅଳ୍ପ ଦିଅନ୍ତୁ । ଲୁଣ ହଳଦୀଗୁଣ୍ଡ ପକାନ୍ତୁ । ସେ ସିଝିଗଲା ପରେ ଲବଙ୍ଗ ଓ ଡାଳଚିନି ବଟା ଦେଇ ଫୁଟାନ୍ତୁ ଓହ୍ଲାଇ ଦିଅନ୍ତୁ ।

ପ୍ରସ୍ତୁତ :

ଏବେ ପ୍ରସ୍ତୁତ ହେଲା ଗୋଟା ବାଇଗଣ ।

Image

 

ଜୁଆଣୀ ରୁଟି ବା ଖଳି ରୁଟି

ଆବଶ୍ୟକ ସାମଗ୍ରୀ :

ଅଟା

-

୨୫୦ ଗ୍ରାମ

ଜୁଆଣୀ

-

୧ ଚାମଚ

ପାଣି ଓ ଲୁଣ

-

ପରିମାଣ ଅନୁସାରେ

କିଛି ଘିଅ

-

୧୦୦ ଗ୍ରାମ

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ କଡ଼ାଇରେ ପାଣିଦେଇ ଜୁଆଣୀ ପକାନ୍ତୁ । ପରିମାଣ ଦେଖି ଲୁଣ ପକାନ୍ତୁ । ପାଣି ଫୁଟିଗଲେ ଅଟା ପକାଇ ଜନ୍ତି ନିଅନ୍ତୁ । ଜନ୍ତାକୁ ଓହ୍ଲାଇ ଥଣ୍ଡାକରି ଚକଟି ଦିଅନ୍ତୁ । ତାପରେ ଛୋଟ ଛୋଟଗୁଳା କରି ରୁଟି ବେଲି ଘିଅ ପକାଇ ଭାଜିରଖନ୍ତୁ । ଏହା ଦେହ ପାଇଁ ପେଟ ପାଇଁ ବହୁତ ହିତ କର ଅଟେ ।

ପ୍ରସ୍ତୁତ :

ଜୁଆଣୀ ରୁଟି ପ୍ରସ୍ତୁତ ହୋଇଗଲା ।

Image

 

କାର୍ତ୍ତିକ ମାସ ବାଳଭୋଗ

ଆବଶ୍ୟକ ସାମଗ୍ରୀ :

ଲିଆ

-

୨୫୦ ଗ୍ରାମ

ନଡ଼ିଆ ପାତି

-

୧ ଗିନା

ଅଦାକଟା

-

୨ ଚାମଚ

ଭଲ ଘିଅ

-

୧ ଚାମଚ

ଲୁଣ

-

ଟିକେ ବା ପରିମାଣ ଦେଖି

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଲିଆ ଗୋଟେ ପାତ୍ରରେ ରଖନ୍ତୁ । ସେଥିରେ ଘିଅ ଓ ଲୁଣ ଛିଞ୍ଚି ଗୋଳେଇ ଦିଅନ୍ତୁ । ତାପରେ ଅଦା, ଚୁନା ଚୁନା କଟା ହୋଇଥିବା ନଡ଼ିଆ ପାତକୁ ଗୋଳେଇ ଦିଅନ୍ତୁ । ଏବେ ବାଳଭୋଗ ପ୍ରସ୍ତୁତ ହୋଇଗଲା । ନଡ଼ିଆ କଟା, ଅଦାକଟା ଗୋଳେଇ ରଖିବେ ନାହିଁ କାରଣ ଲିଆ ନରମ ହୋଇଯିବ । ଏହା କାର୍ତ୍ତିକ ମାସରେ ଜଗନ୍ନାଥଙ୍କ ନିକଟରେ ଭୋଗ ଲାଗେ ।

ପ୍ରସ୍ତୁତ :

ବାଳଭୋଗ ତିଆରି ହୋଇଗଲା । ଖୁଆନ୍ତୁ ଓ ଖାଆନ୍ତୁ ।

Image

 

ଖଜା

ଆବଶ୍ୟକ ସାମଗ୍ରୀ :

ମଇଦା

-

୨୫୦ ଗ୍ରାମ

ଚିନି

-

୩୦୦ ଗ୍ରାମ

ଘିଅ

-

ଛାଣିବା ପାଇଁ

ମଇଦା

-

୧ ରୁ ୨ ଗିନା

ଘିଅ

-

୪ ଚାମଚ ତରଳା

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଚିନିରେ ପାଣି ଦେଇ ସିରା ବନାଇ ରଖନ୍ତୁ । ସିରା ଅଧିକମୋଟା କରିବେ ନାହିଁ କି ପତଳା ମଧ୍ୟ କରିବେ ନାହିଁ । ଅଳ୍ପ ବହଳିଆ ଥିବା ଦରକାର । ଅଧଗିନା ମଇଦାରେ ତରଳା ଘିଅ ପକାଇ ପେଷ୍ଟ ପରି କରି ରଖନ୍ତୁ । ମଇଦାରେ ଅଳ୍ପ ପାଣିଦେଇ ଅଟା ଚକଟିଲା ପରି ନରମ ଚକଟନ୍ତୁ । ପାଣିଆ କିମ୍ବା ଅତି କାଠୁଆ ଚକଟିବେ ନାହିଁ । ମିଡ଼ିୟମ ଚକଟା ହେଲେ ଭଲ । ମଇଦା ଚକଟାକୁ ଲମ୍ବାଳିଆ ବା ଓଭାଲ ସାଇଜରେ ବେଲନ୍ତୁ । ଏହାକୁ ଲମ୍ବା ପଟାରେ ବେଲିଲେ ଭଲ । ଏହି ବେଲାରେ ମଇଦା ପେଷ୍ଟ ଲଗାଇ ଦିଅନ୍ତୁ । ଲଗାଇ ସାରି ତାକୁ ତଳୁ ଆସ୍ତେ ଆସ୍ତେ ରୋଳକରି ଆଣନ୍ତୁ । ରୋଲକରି ଆଉଥରେ ଚକଟି ପୁଣି ଆଉଥରେ ଲମ୍ବାଳିଆ ବେଲନ୍ତୁ । ବେଲିସାରି ପୁଣି ଆଉଥରେ ମଇଦାପେଷ୍ଟ ଲଗାଇ ଦିଅନ୍ତୁ । ପୁଣି ତାକୁ ରୋଲକରି ଛୁରି ସାହାଯ୍ୟରେ ଛୋଟ ଛୋଟ କାଟି ଦିଅନ୍ତୁ । କଡ଼ାଇରେ ଘିଅ ଗରମ କରନ୍ତୁ । ଅଧିକ ଗରମ କରିବେ ନାହିଁ । ଏହି କଟାରୁ ଗୋଟେ ଗୋଟେ ନେଇ ଲମ୍ବାଳିଆ ବେଲନ୍ତୁ । ବେଲି ସାରି ତାକୁ ଘିଅରେ ଛାଣି ସିରାରେ ପକାଇ ଉଠାଇ ରଖନ୍ତୁ ।

ପ୍ରସ୍ତୁତ :

ଏବେ ଖଜା ତିଆରି ହୋଇଗଲା ଖୁଆନ୍ତୁ ଓ ଖାଆନ୍ତୁ । ଶ୍ରୀ ଜଗନ୍ନାଥଙ୍କ ନିକଟରେ ସବୁବେଳେ ଭୋଗ ହୁଏ । ଲୋକନାଥଙ୍କ ନିକଟରେ ଶିବରାତ୍ରିରେ ଭୋଗ ଲାଗେ ।

Image

 

ଗୋଟା ସୋଲା ବା ଛୋଲେ

ଆବଶ୍ୟକ ସାମଗ୍ରୀ :

ଗୋଟା ସୋଲା (କାବୁଲିଚଣା)

-

୨୫୦ ଗ୍ରାମ

 

 

ଜିରା, ଧନିଆ ତେଜପତ୍ର

ଅଦାବଟା

-

ଅଧ ଗିନା

ନଡ଼ିଆ କୋରା

-

୧ ଫାଳ

ଘିଅ

-

୧୫୦ ଗ୍ରାମ

ଡାଲଚିନି, ଗୁଜୁରାତି ଗୁଣ୍ଡ

-

୨ ଚାମଚ

ଲୁଣ

-

ପରିମାଣ ଅନୁସାରେ

ଲଙ୍କା ଗୁଣ୍ଡ

-

ଅଧ ଚାମଚ

ତେଜପତ୍ର

-

୨ ଗୋଟା

ଜିରା ଫୁଟାଇବା ପାଇଁ

-

୧ ଚାମଚ

 

ପ୍ରସ୍ତୁତି ପ୍ରଣାଳୀ :

ଗୋଟା ସୋଲାକୁ ରାତିରେ ବତୁରାଇ ଦିଅନ୍ତୁ । ତାପର ଦିନ ସକାଳେ ତାକୁ ଧୋଇ ପ୍ରେସରରେ ସିଝାଇ ଦିଅନ୍ତୁ । କଡ଼ାଇରେ ଘିଅଗରମ କରି ଜିରା, ତେଜପତ୍ର ଫୁଟାନ୍ତୁ । ବଟା ମସଲା ପକାଇ କସନ୍ତୁ । ମସଲା କଷି ହୋଇଗଲେ ନଡ଼ିଆ କୋରା ପକାନ୍ତୁ । ଅଳ୍ପ ଟିକେ ପାଣିଦେଇ ଲଙ୍କାଗୁଣ୍ଡ, ଲୁଣ ଓ ହଳଦୀଗୁଣ୍ଡ ପକାଇ ଫୁଟାନ୍ତୁ । ମସଲା ସୋଲା ସିଝି ଯୁକୁ ଯୁକିଆ ହୋଇଗଲେ ଗରମ ମସଲା ଗୁଣ୍ଡ ପକାଇ ଗୋଳେଇ ଗୋଳେଇ ଓହ୍ଲାଇ ଦିଅନ୍ତୁ । ଧନିଆପତ୍ର ପକାନ୍ତୁ ।

ପ୍ରସ୍ତୁତ :

ଏବେ ଗୋଟା ସୋଲା ପ୍ରସ୍ତୁତ ହୋଇଗଲା । ଏହା ପ୍ରଭୁଙ୍କ ପାଖରେ ଭୋଗଲାଗେ ।

Image

 

ଦହିବରା

ଆବଶ୍ୟକ ସାମଗ୍ରୀ :

ବରି ଡାଲି

-

୫୦୦ ଗ୍ରାମ

ଭଜା ଜିରାଗୁଣ୍ଡ

-

୨ ଚାମଚ

ମୁଗ ଡାଲି

-

୨୫୦ ଗ୍ରାମ

କଳାଲୁଣ

-

ସ୍ଵାଦ ଅନୁସାରେ

ଅଦାକଟା

-

୪ ରୁ ୫ ଚାମଚ

ଛାଣିବା ପାଇଁ ଘିଅ

-

କିଛି

ବସାଦହି

-

୧ କିଲୋ

ଖାଇବା ସୋଢ଼ା

-

ପରିମାଣ ଦେଖି

 

ପ୍ରସ୍ତୁତି ପ୍ରଣାଳୀ :

ବିରି ଓ ମୁଗ ଡାଲିକୁ ୩ ରୁ ୪ ଘଣ୍ଟା ବତୁରାଇ ଦିଅନ୍ତୁ । ତାକୁ ଧୋଇ ଚିକ୍କଣ ନକରି ଟିକେ ଖଦଡ଼ା କରି ଶୁଖିଲା ବାଟି ଦିଅନ୍ତୁ । କଡ଼ାଇରେ ଘିଅ ଗରମ କରି ବିରିବଟା ରେ ଅଦାକଟା, ସୋଢ଼ା, ଲୁଣ ପକାଇ ଫେଣ୍ଟି ଗୋଟିକେ ଗୋଟିଏ ବରା ଛାଣି ପାଣିରେ ପକାନ୍ତୁ । ପାଣିରୁ ଛାଣି ଅଲଗା ଥାଳିରେ ରଖନ୍ତୁ । ତା’ପରେ ଦହିରେ ଲୁଣ ପକାନ୍ତୁ । ଜିରା ଗୁଣ୍ଡ ପକାଇ ଫେଣ୍ଟି ବରା ଉପରେ ଢାଳି ଦିଅନ୍ତୁ । ଦହିବରା ଉପରେ କିଛି ଜିରା ଗୁଣ୍ଡ ଛିଞ୍ଚି ଦିଅନ୍ତୁ । ଧନିଆପତ୍ର କଟା ମଧ୍ୟ ଛିଞ୍ଚିଦିଅନ୍ତୁ ।

ପ୍ରସ୍ତୁତ :

ଦହିବରା ପ୍ରସ୍ତୁତ ହୋଇଗଲା । ଦହିବରା ମଧ୍ୟ ପ୍ରଭୁଙ୍କ ପାଖରେ ଭୋଗ ଲାଗେ ।

Image

 

କ୍ଷୀରା

ଆବଶ୍ୟକ ସାମଗ୍ରୀ :

କ୍ଷୀର

-

୩ ଲିଟର

ଛେନା

-

୭୫୦ ଗ୍ରାମ

ଖୁଆ

-

୨୫୦ ଗ୍ରାମ

ଗୁଜୁରାତି ଗୁଣ୍ଡ

-

୨ ଚାମଚ

ଚିନି

-

୨୫୦ ଗ୍ରାମ କିମ୍ବା ୩୦୦ ଗ୍ରାମ

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ କ୍ଷୀରକୁ ଫୁଟାନ୍ତୁ । ଚିନି ଖୁଆକୁ ଏକାଠି ଦଳି କ୍ଷୀରରେ ପକାନ୍ତୁ । ଏଇ କ୍ଷୀରକୁ ଲୁହା ଖଡ଼ିକାରେ ଘାଣ୍ଟୁଥିବେ । ନଚେତ ଟିକେ ଛାଡ଼ିଦେଲେ ତଳଲାଗି ଯିବାର ସମ୍ଭାବନା ବହୁତ । କ୍ଷୀର ଗାଢ଼ା ହୋଇଗଲେ ଗୁଜୁରାତି ଗୁଣ୍ଡ ପକାଇ ଗୋଳେଇ ଓହ୍ଲାଇ ଦିଅନ୍ତୁ । କ୍ଷୀରା ହୋଇ ଆସିଲେ ଛେନା ଗୋଳେଇ ଦିଅନ୍ତୁ ।

ପ୍ରସ୍ତୁତ :

ବର୍ତ୍ତମାନ କ୍ଷୀରା ହୋଇଗଲେ । ଏହା ଜଗନ୍ନାଥଙ୍କ ଅତି ପ୍ରିୟା ଖାଦ୍ୟ ।

Image

 

ଆମ୍ବୁଲ

ଆବଶ୍ୟକ ସାମଗ୍ରୀ :

ଅଟା

-

୫୦୦ ଗ୍ରାମ

ଗୁଡ଼

-

୨୫୦ ଗ୍ରାମ

ପାଚିଲା କଦଳୀ

-

୨ ଗୋଟା

ଛାଣିବା ପାଇଁ କିଛି ପରିମାଣରେ ଘିଅ

 

ପ୍ରସ୍ତୁତି ପ୍ରଣାଳୀ :

କଦଳୀକୁ ଭଲଭାବରେ ଚକଟନ୍ତୁ ଯେପରି ଖଣ୍ଡ ନ ରହିବ । ଅଟାରେ, ଗୁଡ଼, କଦଳୀ ଚକଟା ପକାଇ ଅଳ୍ପପାଣି ଦେଇ ଚକଟନ୍ତୁ । ଚକଟା ପିଠଉ ଠାରୁ ଅଳ୍ପ ପତଳା ହେବ । ଏହା ତଇ ସାହାଯ୍ୟରେ ଛଣା ହେବ । ତଇରେ ଘିଅ ଗରମ କରି ଗିନାଏ ଅଟା ଗୋଳାନ୍ତୁ ଓଜାଡ଼ନ୍ତୁ । ଏହାକୁ କାଠି ସାହାଯ୍ୟରେ ଲେଉଟାଇ ଛାଣି କାଢ଼ିରଖନ୍ତୁ ।

ପ୍ରସ୍ତୁତ :

ଏବେ ଅମ୍ବୁଲୁ ତିଆରି ହୋଇଗଲା । ପ୍ରତ୍ୟେକଦିନ ଜଗନ୍ନାଥଙ୍କ ପକାହରେ ଭୋଗ ଲାଗେ-

Image

 

ମାଲପୁଆ

ଆବଶ୍ୟକ ସାମଗ୍ରୀ :

ଅଟା

-

୨୫୦ ଗ୍ରାମ

ଗୁଡ଼

-

୨୦୦ ଗ୍ରାମ

କଦଳୀ

-

୨ ଗୋଟା

ପାନମଧୁରୀ ଗୁଣ୍ଡ

-

୧ ଚାମଚ ଛଣିବା ପାଇଁ ଘିଅ

ଲୁଣ

-

ପରିମାଣ ଅନୁସାରେ

 

ପ୍ରସ୍ତୁତି ପ୍ରଣାଳୀ :

ଅଟାରେ କଦଳୀ, ଗୁଡ଼, ପାନ ମାଧୁରୀ ଲୁଣ ପକାଇ ପାଣିଦେଇ ବହଳିଆ ଗୋଳାନ୍ତୁ । କଡ଼ାଇ ଘିଅ ଗରମ କରି ଡଙ୍କିଏ ଡଙ୍କିଏ ପକାଇ ଛାଣି ରଖନ୍ତୁ । ଏହା ଆରିସାପିଠା ଠାରୁ ଟିକେ ବଡ଼ ବଡ଼ ହେବ ଏବଂ ଘିଅ ବେଶୀ ଟାଣିବ ।

ପ୍ରସ୍ତୁତ :

ଏବେ ମାଲପୁଆ ପ୍ରସ୍ତୁତ ହୋଇଗଲା ।

Image

 

ହବିଷ ଡାଲମା

ଆବଶ୍ୟକ ସାମଗ୍ରୀ :

ଚୋପାଲଗା ଫାଳ କଞ୍ଚା ମୁଗ ଡାଲି

-

୨୫୦ ଗ୍ରାମ

ଭଲ ଘିଅ

-

୪ ଚାମଚ

ସାରୁ

-

୨୫୦ ଗ୍ରାମ

ଅଦା

-

୧ ଖଣ୍ଡ

ଓଉ

-

୨ ପାଖୁଡ଼ା

ଲୁଣ

-

ପରିମାଣ ଅନୁସାରେ

ନଡ଼ିଆ

-

୧ ଫାଳ

କଞ୍ଚା କଦଳୀ

-

୨ ଗୋଟା

 

ପ୍ରସ୍ତୁତି ପ୍ରଣାଳୀ :

ମୁଗ ଡାଲିକୁ ୨/୩ ଘଣ୍ଟା ବତୁରାଇ ଦିଅନ୍ତୁ । ମୁଗ ଡାଲି ବତୁରି ଗଲାପରେ ତାକୁ ଧୋଇ ତାର ଚୋପ କରିଦିଅନ୍ତୁ । ଚୂଲୀରେ ଡେକିଚି ବସାଇ ପାଣି ଦିଅନ୍ତୁ, ମୁଗ ଡାଲିକୁ ପକାନ୍ତୁ । ମୁଗ ଡାଲି ଫୁଟି ଆସିଲେ ସାରୁ ଚୋପା ଛଡ଼ାଇ ଧୋଇ ପକାନ୍ତୁ । କଞ୍ଚା କଦଳୀରୁ ଚୋପଛଡ଼ାଇ ପକାନ୍ତୁ । ନଡ଼ିଆ କୋରି ପକାନ୍ତୁ । ଡାଲି ସାରୁ ସିଝି ଆସିଲେ ଓଉରୁ ଚୋପା ଛଡ଼ାଇଦର ଦର ଛେଚା କରି ପକାନ୍ତୁ । ଅଦା ଛେଚି ପକାନ୍ତୁ । ପରିମାଣ ଅନୁସାରେ ଲୁଣ ପକାଇ ଅଧା ଘୋଡ଼ାଇ ଦିଅନ୍ତୁ । ସିଝି ଗଲେ ଘିଅ ପକାନ୍ତୁ । ଏହା ଭିତରେ ଅଗସ୍ତି ପତ୍ର ୨ ରୁ ୪ ଟା ମଧ୍ୟ ପକାଯାଏ । ସିଝି ଗଲେ ଧନିଆ ପତ୍ର ପକାଇ ଓହ୍ଲାଇ ଦିଅନ୍ତୁ । ଏବେ ହବିଷ ଡାଲମା ପ୍ରସ୍ତୁତ ହୋଇଗଲା ।

ପ୍ରସ୍ତୁତ :

ଏହା କାର୍ତ୍ତିକ ମାସରେ ପ୍ରାୟ କରାଯାଏ ।ଏହା ପ୍ରଭୁଙ୍କ ନିକଟରେ ଭୋଗ କରାଯାଏ ।

Image

 

ମହୁର

ଆବଶ୍ୟକ ସାମଗ୍ରୀ :

କଖାରୁ

-

କିଛି ପରିମାଣ

ଡାଲଚିନି

-

୪ ରୁ ୫ ଖଣ୍ଡ

ଶଙ୍ଖସାରୁ

-

ପରିବା ୧ କିଲୋ

ଅଳେଇଚ

-

୨ ରୁ ୩ ଗୋଟା

କନ୍ଦମୂଳ

-

କିଛି ପରିମାଣ

ତେଜପତ୍ର

-

୪ ଗୋଟା

ଧନିଆ

-

୨୫ ଗ୍ରାମ

ନଡ଼ିଆ

-

୧ ଫାଳ

ଜିରା

-

୪ ଚାମଚ

ଭଲ ଘିଅ

-

୧ ଡଙ୍କି

ଗୋଲମରିଚ

-

୧ ଚାମଚ

 

ପ୍ରସ୍ତୁତି ପ୍ରଣାଳୀ :

ପରିବାକୁ ଛୋଟ ଛୋଟ କାଟି ଧୋଇ ରଖନ୍ତୁ । ମସଲାକୁ ବାଟି ରଖନ୍ତୁ । ଡାଲଚିନି, ଅଳେଇଚକୁ ଅଲଗା ବାଟି ରଖନ୍ତୁ । କଡ଼େଇରୁ ପାଣି ଦେଇ ପରିବା ଗୁଡ଼ିକ ପକାଇ ଦିଅନ୍ତୁ । ତା’ ଭିତରେ ତେଜପତ୍ର ପକାନ୍ତୁ । ପରିବା ସିଝିଗଲେ ନଡ଼ିଆ କୋରା ପକାନ୍ତୁ । ତା’ପରେ ମସଲା ବଟା ଦିଅନ୍ତୁ । ଆଉ ଗୋଟେ କଡ଼ାଇରେ ଘିଅ ପକାଇ ଫୁଟଣ ଫୁଟାନ୍ତୁ । ତାପରେ ମହୁରକୁ ପକାଇ ବଘାରନ୍ତୁ । ବଘାରି ସାରି ଡାଲଚିନି ଅଳେଇଚ ବଟା ଦେଇ ଓହ୍ଲାଇ ଧନିଆ ପତ୍ର ପକାନ୍ତୁ ।

ପ୍ରସ୍ତୁତ :

ଏଥର ମହୁର ପ୍ରସ୍ତୁତ ହୋଇଗଲେ । ଏହା ଜଗନ୍ନାଥଙ୍କର ଭୋଗ ଲାଗେ ।

Image

 

ମାଠପୁଳି

ଆବଶ୍ୟକ ସାମଗ୍ରୀ :

ଚୋପାଲଗା ବିରି

-

୫୦୦ ଗ୍ରାମ

ଜିରା

-

୧ ଚାମଚ

ହେଙ୍ଗୁ

-

ଟିକେ

କଦଳୀପତ୍ର

-

୧ ଖଣ୍ଡ

ଚାଉଳ ଚୂନା

-

୧୦୦ ଗ୍ରାମ

ଅଦାଛେଚା

-

୫୦ ଗ୍ରାମ

ଘିଅ

-

ଛାଣିବା ପାଇଁ

 

 

 

 

ପ୍ରସ୍ତୁତି ପ୍ରଣାଳୀ :

ଚୋପାଲଗା ବିରି ହେଲେ ଭଲ । ସ୍ଵାଦ ମଧ୍ୟ ଲାଗିବ । ପ୍ରଥମେ ଫାଳ ବିରି ଡାଲିକୁ ୩ ରୁ ୪ ଘଣ୍ଟା ବତୁରାଇ ଦିଅନ୍ତୁ । ସେ ବତୁରିଗଲେ ତାକୁ ଧୋଇ ଧାଇ ତାର ଚୋପା କାଢ଼ି ଦିଅନ୍ତୁ । ତାକୁ ଛାଣି ଶିଳରେ ଶୁଖିଲା ଶୁଖିଲା ଅଳ୍ପ ଖଦଡ଼ା ଖଦଡ଼ା ବାଟି ରଖନ୍ତୁ । ପୁରା ଚିକ୍କଣ କରିବେ ନହିଁ-। ତା ଭିତରେ ଚାଉଳ ଅଟା ମିଶାନ୍ତୁ-। ତା ଭିତରେ ଜିରା କୁ ଟିକେ ଛେଚି ତାର ଗୁଣ୍ଡ ପକାନ୍ତୁ । ଅଦାଛେଚା ଓ ହେଙ୍ଗୁ ପାଣି ଟିକେ କରି ଗୋଳି ପକାନ୍ତୁ । ସବୁକୁ ଏକାଠି ଭଲ ଭାବରେ ଗୋଳେଇ ଦିଅନ୍ତୁ । ତାପରେ କଦଳୀ ପତ୍ରରେ ଗୋଟେ ଗୁଳାନେଇ ପୁରି ପରି ତିଆରି ଦିଅନ୍ତୁ । କଡ଼ାଇରେ ଘିଅ ଗରମ କରନ୍ତୁ । ପାଣି ହାତ କରି ଅତି ସାବଧାନରେ ଛାଣନ୍ତୁ । ନ ହେଲେ ପିଠଉ ହାତରେ ଲାଗି ଯିବ । ଆସ୍ତେ କରି କଦଳିପତ୍ରରୁ ବାହର କରି ଛାଣିବାକୁ ହେବ ।

 

ପ୍ରସ୍ତୁତ :

ଏବେ ମାଠପୁଳି ତିଆରି ହୋଇଗଲା । ଏହା ଜଗନ୍ନାଥଙ୍କ ପାଖରେ ଭୋଗ କରାଯାଏ-

Image

 

ଓଉ ଖଟା

ଆବଶ୍ୟକ ସାମଗ୍ରୀ :

ଓଉ

-

୧ ଗୋଟା

ଘିଅ

-

୨ ଚାମଚ

ଗୁଡ଼

-

୨୦୦ ଗ୍ରାମ

ଭୁରସୁଙ୍ଗା ପତ୍ର

-

୨ ରୁ ୪ ଡେମ୍ଫ

ସୋରିଷ ବଟା

-

୨ ଚାମଚ

ସିଝା ବୁଟ

-

ଅଧା କପ

ଡାଲଚିନି ଗୁଣ୍ଡ

-

୧ ଚାମଚ

ନଡ଼ିଆ କୋରା

-

ଅଧା କପ

ଫୁଟଣ

-

୨ ଚାମଚ

 

 

 

ପ୍ରସ୍ତୁତି ପ୍ରଣାଳୀ :

ଓଉକୁ ଫାଳକରି ଚୋପାଛଡ଼ାଇ ସରୁ ସରୁକାଟି ଦିଅନ୍ତୁ । ତାକୁ ଧୋଇ ସିଝାନ୍ତୁ । ସିଝିଗଲେ ଓହ୍ଲାଇ ଛାଣି ରଖନ୍ତୁ । କଡ଼ାଇରେ ଘିଅ ଦେଇ ଫୁଟଣ ଭୁରସୁଙ୍ଗା ପତ୍ର ଫୁଟାନ୍ତୁ । ଶୋରିଷ ବଟା ଓଉ ପକାଇ କଷନ୍ତୁ । ଓଉ ଟିକେ କଷି ହୋଇ ଗଲେ ଗୁଡ଼ ପକାନ୍ତୁ । ଅଳ୍ପ ଟିକେ ପାଣି ଦିଅନ୍ତୁ । ଲୁଣ ଓ ହଲଦିଗୁଣ୍ଡ ପକାନ୍ତୁ । ବୁଟ ସିଝା, ନଡ଼ିଆ କୋରା ପକାଇ ଫୁଟାନ୍ତୁ । ସେ ସବୁ ଭଲ ଭାବରେ ସିଝିଗଲେ ଡାଲଚିନି ଗୁଣ୍ଡ ପକାଇ ଓହ୍ଲାଇ ଦିଅନ୍ତୁ ।

ପ୍ରସ୍ତୁତ :

ଏବେ ଓଉ ଖଟା ପ୍ରସ୍ତୁତ ହୋଇଗଲା । ଏହା ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ।

Image

 

କଖାରୁ ଖଟା

ଆବଶ୍ୟକ ସାମଗ୍ରୀ :

କଖାରୁ

-

୨୫୦ ଗ୍ରାମ

ଘିଅ

-

୧ ଚାମଚ

ଗୁଡ଼

-

୧୦୦ ଗ୍ରାମ

ହଳଦୀଗୁଣ୍ଡ

-

ଅଧା ଚାମଚ

ତେନ୍ତୁଳିମଣ୍ଡ

-

୨ ରୁ ୪ ଚାମଚ

ଲୁଣ

-

ସ୍ଵାଦ ଅନୁସାରେ

ଭଜା ଜିରା ଲଙ୍କାଗୁଣ୍ଡ

-

ଅଧା ଚମାଚ

ଭୁରୁସୁଙ୍ଗାପତ୍ର

-

କିଛି

ଫୁଟଣ

-

୧ ଚାମଚ

ଚାଉଳ ଗୁଣ୍ଡ

-

୧ ଚାମଚ

ପ୍ରସ୍ତୁତି ପ୍ରଣାଳୀ :

କଖାରୁ ଛୋଟ ଛୋଟ କାଟି ଧୋଇ ଦିଅନ୍ତୁ । କଡ଼ାଇରେ ଘିଅ ଗରମ କରି ଭୁରୁସୁଙ୍ଗା ପତ୍ର ଫୁଟଣ ପକାନ୍ତୁ । ତା ପରେ କଖାରୁ ପକାଇ କଷନ୍ତୁ । ଅଳ୍ପ ପାଣି ଗୁଡ଼ ପକାନ୍ତୁ । ଲୁଣ ଓ ହଲଦିଗୁଣ୍ଡ ପକାନ୍ତୁ । ନଡ଼ିଆ କୋର ପକାନ୍ତୁ । କଖାରୁ ସିଝି ଗଲେ ଚାଉଳ ଗୁଣ୍ଡ ପକାନ୍ତୁ । ଟିକେ ବହଳିଆ କରିବେ ଓ ଟେଷ୍ଟ ମଧ୍ୟ ଲାଗିବ ।

ପ୍ରସ୍ତୁତ :

ଏବେ କଖାରୁ ଖଟା ତିଆରି ହୋଇଗଲା । ଏହା ଜଗନ୍ନାଥଙ୍କ ନିକଟରେ ଭୋଗ ଲାଗେ-

Image

 

ଆମ୍ବ ଖଟା

ଆବଶ୍ୟକ ସାମଗ୍ରୀ :

କଞ୍ଚା ଆମ୍ବ

-

୫୦୦ ଗ୍ରାମ

ଫୁଟଣ

-

ଅଳ୍ପ ପରିମାଣରେ

ଗୁଡ଼

-

୪୦୦ ଗ୍ରାମ

ଘିଅ

-

୧ ଡଙ୍କି

ଭଜା ଜିରା,ଲଙ୍କା

-

୨ ଚାମଚ

ଗରମ ମସଲା

-

୧ ଚାମଚ

ପ୍ରସ୍ତୁତି ପ୍ରଣାଳୀ :

ଆମ୍ବ ଗୁଡ଼ିକ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଘିଅ ଗରମ କରି ଫୁଟଣ କରନ୍ତୁ । ଆମ୍ବ ଗୁଡ଼ିକ ପକାଇ ସନ୍ତଳନ୍ତୁ । ଆମ୍ବ ସନ୍ତୁଳା ସରିଲେ ଗୁଡ଼ ପକାନ୍ତୁ । ଆମ୍ବ ସିଝିବା ପାଇଁ ଅଳ୍ପ ପାଣି ଦିଅନ୍ତୁ । ସିଝି ଗଲେ ଜିରା ଲଙ୍କା ଗୁଣ୍ଡ ଗରମ ମସଲା ପକାଇ ଗୋଳେଇ ଓହ୍ଲାଇ ଦିଅନ୍ତୁ । ଏହାଭିତରେ ନଡ଼ିଆ କୋର ଦେଇ ପାରିବେ । ଆମ୍ବ ସନ୍ତୁଳାବେଳେ ମଧ୍ୟ ୨ ଚାମଚ ଶୋରିଷବଟା ଦେଇ ପାରିବେ ।

ପ୍ରସ୍ତୁତ :

ଏବେ ଆମ୍ବ ଖଟା ପ୍ରସ୍ତୁତ ହୋଇଗଲା ।

Image

 

ଡାଳିମ୍ବ

ଆବଶ୍ୟକ ସାମଗ୍ରୀ :

ଅଟା

-

୨୫୦ ଗ୍ରାମ

ଘିଅ

-

ଛାଣିବା ପାଇଁ

ଘିଅ

-

୧୦୦ ଗ୍ରାମ

ଜୁଆଣୀ

-

ଅଧ ଚାମଚ

ଗୁଡ଼

-

୩୦୦ ଗ୍ରାମ

 

 

 

 

ପ୍ରସ୍ତୁତି ପ୍ରଣାଳୀ :

ଅଟାରେ ଜୁଆଣୀ ପକାଇ ଘିଅ ତରଲାଇ ମଏମ ଦେଇ ଭଲ ଭାବରେ ମିଶାନ୍ତୁ । ଅଟାରେ ଘିଅ ଦେଇ ଯେତେ ଦଳି ଦେବେ ଡାଳିମ୍ବ ସେତେ ଭଲ ହେବ । ମଏମ ଦେଇ ସାରିଲେ ତା ଭିତରେ ଅଳ୍ପ ପାଣି ଦେଇ ଚକାଟନ୍ତୁ । ଅଧିକ ପାଣି ଦେବେ ନାହିଁ କାରଣ ପାଣିଆ ହୋଇଯିବ-। କାଠୁଆ ଚକଟା ହେଲେ ଭଲ । ତା ପରେ ତାକୁ ଟିକିଟିକି ଗଇଁଠା ପରି କରି ଛାଣିବ-। ଧୀର ଜାଳରେ ପକାଇ ଛାଣି ଦେବେ । ଅନ୍ୟଏକ ପାତ୍ରରେ ଗୁଡ଼କୁ ଟାଣପାଗ କରି ଏଇ ଡାଳିମ୍ବ ଛଣା ପକାଇ ଗୋଳାନ୍ତୁ । ତା ପରେ ସାଙ୍ଗେ ସାଙ୍ଗେ ପାତ୍ରରେ ଘିଅମାରି ଏଇ ଡାଳିମ୍ବ ଓଜାଡ଼ନ୍ତୁ କିମ୍ବା ସଢ଼େଇରେ ଓଜାଡ଼ି ସେଟ କରନ୍ତୁ । ସେଟ୍‌ ହୋଇଗଲେ ତାକୁ ବାହାର କରି ଦିଅନ୍ତୁ। ଏହାକୁ ମାସେ ପର୍ଯ୍ୟନ୍ତ ରଖାଯାଇ ପାରିବ ।

 

ପ୍ରସ୍ତୁତ :

ଏବେ ଡାଳିମ୍ବ ପ୍ରସ୍ତୁତ ହୋଇଗଲା । ଏହା ଜଗନ୍ନାଥଙ୍କ ବଲ୍ଲଭ ଭୋଗରେ ଭୋଗ କରାଯାଏ ।

Image

 

ମୋହନ ଭୋଗ

ଆବଶ୍ୟକ ସାମଗ୍ରୀ :

ସୁଜି

-

୨୫୦ ଗ୍ରାମ

ଗୁଜୁରାତି

-

୧୦ ଗୋଟା

ଚିନି

-

୨୫୦ ଗ୍ରାମ

ତେଜପତ୍ର

-

୪ ରୁ ୫ ଗୋଟା

ଭଲ ଘିଅ

-

୨୦୦ ଗ୍ରାମ

କିସ୍‌ମିସ୍‌

-

ମୁଠାଏ

ପ୍ରସ୍ତୁତି ପ୍ରଣାଳୀ :

କଡ଼େଇ ଗରମ କରି ଘିଅ ପକାନ୍ତୁ । ଘିଅରେ ତେଜପତ୍ର ଓ ସୁଜି ପକାଇ ଭଲ ଭାବରେ ଭାଜନ୍ତୁ । ଭାଜି ହୋଇଗଲେ ଅଳ୍ପ ପାଣି ଦିଅନ୍ତୁ। ତାପରେ ଚିନି ପକାନ୍ତୁ । ଚିନି ବହୁତ ସମୟ ଘାଣ୍ଟନ୍ତୁ । କିସ୍‌ମିସ୍‌ ଛାଣି ପାକାନ୍ତୁ । ଗୁଜୁରାତିକୁ ଗୁଣ୍ଡ କରି ପକାନ୍ତୁ । ପୁରା ଦାନାଦାନା ହୋଇ କଡ଼େଇରୁ ଛାଡ଼ିଗଲେ ଓହ୍ଲାଇ ଦିଅନ୍ତୁ। ଯାହାକୁ ଲୁଣ ଦରକାର ହେବ ଟିକେ ଲୁଣ ମଧ୍ୟ ପକାଇ ପାରିବେ ।

ପ୍ରସ୍ତୁତ :

ଏବେ ମୋହନ ଭୋଗ ପ୍ରସ୍ତୁତ ହୋଇଗଲା ।ଏହା ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ

Image

 

ଛୁଞ୍ଚି ପତ୍ର

ଆବଶ୍ୟକ ସାମଗ୍ରୀ :

ବାସୁମତି ଅରୁଆଚାଉଳ

-

୫୦୦ ଗ୍ରାମ

ନଡ଼ିଆ

-

୧ ଗୋଟା

ଗୁଜୁରାତି ଗୁଣ୍ଡ

-

୪ ଚାମଚ

ଘିଅ

-

୪ ରୁ ୫ ଚାମଚ

ଲୁଣ

-

ସ୍ଵାଦ ଅନୁସାରେ

 

ପ୍ରସ୍ତୁତି ପ୍ରଣାଳୀ :

ଚାଉଳକୁ ରାତିରେ ବତୁରାଇ ଦିଅନ୍ତୁ । ସକାଳୁ ଧୋଇ ଦେଇ ତାକୁ ପୁରା ଚିକ୍କଣ କରି ବାଟି ଦିଅନ୍ତୁ । ଖଦଡ଼ା ରହିବ ନାହିଁ । ନଡ଼ିଆକୁ କୋରି ଚିନି, ଗୁଜୁରାତି ଗୁଣ୍ଡ ମିଶାଇ ରଖନ୍ତୁ । ପିଠଉରେ ଲୁଣ ପକାଇ ଗୋଳେଇ ରଖନ୍ତୁ । ତାୱାରେ ଘିଅ ଭଲଭାବରେ ଘସିଦେଇ ହାତରେ ପିଠଉ ନେଇ ତାୱାଉପରେ ଛାଟି ଛାଟି ଗୋଲ କରନ୍ତୁ । ମଝିରେ ନଡ଼ିଆ ପୁରଦେଇ ଚାରିଫୋଲ୍ଡ କରନ୍ତୁ। ପିଠଉ ପତଳା କରିବେ । ଦରକାର ପଡ଼ିଲେ ପାଣି ଯେତିକ ଲାଗିବ ଦେବେ । ହାତରେ ପିଠା ନହୋଇ ପାରିଲେ କନାକୁ ୨ ଇଞ୍ଚରେ ଫୋଲ୍ଡ କରି ପିଠଉରେ ବୁଡ଼ାଇ ତଳ ଉପର କରି ଗୋଲ କରନ୍ତୁ । ତା ମଝିରେ ପୁର ଦେଇ ୪ ଭାଙ୍ଗ କରି ଫୋଲ୍ଡ କରନ୍ତୁ ।

 

ପ୍ରସ୍ତୁତ :

ଏବେ ଛୁଞ୍ଚିପତ୍ର ପିଠା ହୋଇଗଲା । ଏହା ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ।

Image

 

ପାରିଜାତକ

ଆବଶ୍ୟକ ସାମଗ୍ରୀ :

ମଇଦା

-

୨୫୦ ଗ୍ରାମ

ଚିନି

-

୩୦୦ ଗ୍ରାମ

ଦହି

-

୧୦୦ ଗ୍ରାମ

ଘିଅ

-

ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ :

ମଇଦାରେ ଦହି ଗୋଳାନ୍ତୁ । ଗୋଳା ଗୁଲୁଗୁଲା ପିଠଉ ପରି କାଠୁଆ କାଠୁଆ ହେବ । ମଇଦା, ଦହି ପାଣିଦେଇ ଗୋଳାଇବେ । ଯଦି ଘରେ ଛେନା ପାଣି ଅଛି ତାକୁ ମଧ୍ୟ ପକାଇ ଗୋଳେଇ ପାରିବେ । ଏହି ଗୋଳକୁ ୨ ରୁ ୩ ଘଣ୍ଟା ରଖିଦେବେ । ତା ପରେ କଡ଼େଇରେ ଘିଅ ଗରମ କରି ଗୁଲୁଗୁଲା ପରି ଗୋଲ ଗୋଲ ଛାଣି ରଖିବେ । ଆଉ ଗୋଟେ କଡ଼ାଇରେ ଚିନି ଓ ଅଳ୍ପ ପାଣି ଦେଇ ସିରା ବନାନ୍ତୁ । ଏ ସିରା ଟାଣ ସିରା ହେବ, ଯେମିତି ପାରି ଜାତକ ଗୁଡ଼ିକ ପଡ଼ିବ ସେମିତି ପାରଜାତକରେ ସିରା ଲାଗି ଯିବ । ପୁରା ଝରଝର ହୋଇ ଯିବ । ଉପର ଚିନି ଶୁଖିଲା ହୋଇ ଯିବ । ଏ ପାରିଜାତକ ଟିକେ ସାବଧାନରେ କରିବାକୁ ହେବେ ।

ପ୍ରସ୍ତୁତ :

ଏବେ ପାରିଜାତକ ପ୍ରସ୍ତୁତ ହୋଇଗଲା । ଏହା ପ୍ରଭୁଙ୍କର ପ୍ରଧାନ ଖାଦ୍ୟ ।

Image

 

ଥାଳି ଖେଚେଡ଼ି

ଆବଶ୍ୟକ ସାମଗ୍ରୀ :

ଚାଉଳ

-

୫୦୦ ଗ୍ରାମ

ମୁଗ ଡାଲି

-

୧୦୦ ଗ୍ରାମ

ଅଦା

-

ଖଣ୍ଡେ

ଘିଅ

-

୧୫୦ ଗ୍ରାମ

ହେଙ୍ଗୁ

-

ଖୁବ କମ

ଲୁଣ

-

ସ୍ଵାଦ ଅନୁସାରେ

ପାଣି

-

ଡବଲ

ଡାଲଚିନି, ଗୁଜୁରାତି ଗୁଣ୍ଡ

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଚାଉଳ ଓ ମୁଗ ଡାଲିକୁ ଧୋଇ ଫୁଟିବା ପାଣିରେ ପାକାନ୍ତୁ । ଅଦାଛେଚା, ଲୁଣ, ହେଙ୍ଗୁ ପକାନ୍ତୁ । ଖେଚେଡ଼ି ହୋଇ ଆସିଲାବେଳକୁ ଘିଅ ପକାନ୍ତୁ । ଡାଲଚିନି, ଗୁଜୁରାତି ଗୁଣ୍ଡ ଦେଇ ଗୋଳେଇ ଓହ୍ଲାଇ ଦିଅନ୍ତୁ ।

 

ପ୍ରସ୍ତୁତ :

ଏବେ ଥାଳି ଖେଚେଡ଼ି ପ୍ରସ୍ତୁତ ହୋଇଗଲା ।

Image

 

ମୁଠି ଗଜା

ଆବଶ୍ୟକ ସାମଗ୍ରୀ :

ଅଟା

-

୫୦୦ ଗ୍ରାମ

ଘିଅ

-

୧୫୦ ଗ୍ରାମ

ଚିନି

-

୩୦୦ ଗ୍ରାମ

ଘିଅ

-

ଛଣିବାପାଇଁ

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଅଟାରେ ଘିଅ ଦେଇ ଭଲଭାବରେ ଦଳନ୍ତୁ ଯେତେ ଅଧିକ ଘିଅ ଦେବେ ଭଲ-। ଗଜା ନରମ ହେବ । ଦଳିସାରି ଅଳ୍ପ ପାଣି ଛିଞ୍ଚି ଚକଟନ୍ତୁ । ଚକଟି ସାରି ମୁଠାକରି ଚିପି ଚିପି ଗଢ଼ି ରଖିବେ । ଘିଅ ଗରମ କରି ବ୍ରାଉନ କଲର କରି ଗଜା ଗୁଡ଼ିକ ଛାଣି ରଖିବେ । ଚିନିରେ ଅଳ୍ପ ପାଣି ଦେଇ ଟାଣ ସିରା କରିବେ । ସିରା ଫୁଟି ଫୁଟି ଟାଣ ହୋଇ ଆସିଲେ ମୁଠିଗଜା ଗୁଡ଼ିକ ପକାଇ ଗୋଳେଇ କାଢ଼ିଦେବେ । ସାଙ୍ଗେ ସାଙ୍ଗେ ଗଜାରେ ସିରାଗୁଡ଼ିକ ଶୁଖି ଲାଗିଯିବ । ଏବେ ମୁଠି ଗଜା ପ୍ରସ୍ତୁତ ହୋଇଗଲା ।

ପ୍ରସ୍ତୁତ :

ରଥ ଉପରେ ଜଗନ୍ନାଥଙ୍କ ପାଖରେ ରହଣୀ ଭୋଗ ଲାଗେ ।

Image

 

ସାଧା ଡାଲି

ଆବଶ୍ୟକ ସାମଗ୍ରୀ :

ଡାଲି

-

୫୦୦ ଗ୍ରାମ

ହେଙ୍ଗୁ

-

ଖୁବ କମ

ଅଦା

-

ବଡ଼ ୧ ଖଣ୍ଡ

ଫୁଟଣ

-

୪ ଚାମଚ

ନଡ଼ିଆ

-

୧ ଫାଳ

ଲୁଣ

-

ପରିମାଣ ଅନୁସାରେ

ହଳଦୀ ଗୁଣ୍ଡ

-

ଖୁବ କମ

ଭଲ ଘିଅ

-

୧ ଡଙ୍କି

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଡାଲିକୁ ଧୋଇ ଡେକିଚି କିମ୍ବା ପ୍ରେସର କୁକରରେ ପାଣି ଦେଇ ଡାଲି ଲୁଣ ହଳଦୀଗୁଣ୍ଡ ଦେଇ ସିଝାନ୍ତୁ । ତା’ଭିତରେ ନଡ଼ିଆ କୋର ଓ ଅଦା ଛେଚା ଅଧା ପକାଇ ଆଉ ଟିକେ ଫୁଟାନ୍ତୁ । ଡାଲି ଭଲଭାବରେ ସିଝିଗଲେ ଓହ୍ଲାଇ ଦିଅନ୍ତୁ । କଡ଼ାଇରେ ଘିଅ ଗରମ କରି ପଞ୍ଚଫୁଟଣ ବାକି ଅଦାଛେଚା ହେଙ୍ଗୁ ପକାନ୍ତୁ । ଫୁଟଣ ଫୁଟିଗଲେ ଡାଲି ଓଜାଡ଼ି ବଘାରନ୍ତୁ ।

ପ୍ରସ୍ତୁତ :

ଏବେ ଡାଲି ପ୍ରସ୍ତୁତ ହୋଇଗଲା । ସବୁଦିନେ ଜଗନ୍ନାଥଙ୍କ ପାଖରେ ଭୋଗ ଲାଗେ ।

Image

 

ଅନ୍ନରସାବଳି

ଆବଶ୍ୟକ ସାମଗ୍ରୀ :

ବାସୁମତି ଚାଉଳ

-

୫୦୦ ଗ୍ରାମ

ଗୁଆ ଘିଅ

-

୧ କପ

ସର

-

୧ କପ

ଚିନୀ

-

୫୦ ଗ୍ରାମ

ରାବିଡ଼ି

-

୧ କପ

କିସ୍‌ମିସ୍‌

-

୨୦ ରୁ ୨୫ ଗୋଟା

ଖୁଆ

-

୧୫୦ ଗ୍ରାମ

ଗୁଜୁରାତି ଅଳେଇଚ ଗୁଣ୍ଡ ୨ ଚାମଚ

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଚାଉଳକୁ ଧୋଇ ଅନ୍ନ ତିଆରିକରି ରଖନ୍ତୁ । ଯେମିତି ପେଜ ଅଂଶ ରହିବ ନହିଁ-। ଅନ୍ନ କୁ ଭଲ ଭାବରେ ଗାଳି ରଖିଦିଅନ୍ତୁ । ଏହି ଅନ୍ନରେ ସର, ରାବିଡ଼ି, ଖୁଆ, ଚିନି, ଘିଅ, ମସଲା ଗୁଣ୍ଡ, କିସ୍‌ମିସ୍‌ ପକାଇ ଗୋଳାନ୍ତୁ । ଏହା ମେଞ୍ଚା ମେଞ୍ଚା ହେବ । ଖାଇବାକୁ ବହୁତ ଟେଷ୍ଟ ମଧ୍ୟ । ଏହାକୁ ଆସ୍ତେ ଆସ୍ତେ ଭଲ ଭାବରେ ଗୋଳେଇବେ କିନ୍ତୁ ଅଧିକ ଚକଟିବେ ନହିଁ । ସବୁ ଗୋଳିଆ ଗୋଳି କରି ଅନ୍ନ ରସାବଳି ପରଷନ୍ତୁ ।

ପ୍ରସ୍ତୁତ :

ଅନ୍ନରସାବଳି ତିଆରି ହୋଇଗଲା । ଏହା ପ୍ରଭୁଙ୍କ ଛପନ ଭୋଗ ମଧ୍ୟରେ ଅନ୍ୟତମ ।

Image

 

ଛେନା ତାଡ଼ିଆ

ଆବଶ୍ୟକ ସାମଗ୍ରୀ :

ଛେନା

-

୫୦୦ ଗ୍ରାମ

ଘିଅ

-

ଛାଣିବା ପାଇଁ ଆବଶ୍ୟକ

ମଇଦା

-

୧୦୦ ଗ୍ରାମ

ଚିନି

-

୨୫୦ ଗ୍ରାମ

ଅଳେଇଚ

-

ଗୁଣ୍ଡ

ପାଣି

-

ଅଳ୍ପ କିଛି

ପ୍ରସ୍ତୁତି ପ୍ରଣାଳୀ :

ଛେନାକୁ ଭଲ ଭାବରେ ଦଳି ତା ଭିତରେ ମଇଦା ପକାଇ ଚକଟି ମିଶାଇ ଦିଅନ୍ତୁ । ଛେନା, ମଇଦା ମିଶିଗଲେ ତା ଭିତରେ ଅଳେଇଚ ଗୋଟା ବା ଗୁଣ୍ଡ ପକାଇ ମିଶାନ୍ତୁ । ଭଲଭାବରେ ମିଶି ଗଲେ ଛୋଟ ଛୋଟ ଛୋଟ ଗୁଳା କରନ୍ତୁ । ଏହି ଗୁଳାକୁ ଘିଅରେ ବରା ଛାଣିଲା ପରି ଟିକେ ମୋଟା ମୋଟା ଛାଣନ୍ତୁ । ଚିନିରେ ପାଣି ଦେଇ ସିରା ବନାଇ ଆଗରୁ ରଖିଥିବେ । ଏହି ତାଡ଼ିଆ ଛାଣି ସିରାରେ ପକାନ୍ତୁ ।

ପ୍ରସ୍ତୁତ :

ଛେନା ତାଡ଼ିଆ ଏବେ ପ୍ରସ୍ତୁତ ହୋଇଗଲା ।

Image

 

ଜଗନ୍ନାଥ ବଲ୍ଲଭ

ଆବଶ୍ୟକ ସାମଗ୍ରୀ :

ଅଟା

-

୧ କିଲୋ

ଲବଙ୍ଗ

-

୨୫ ଗ୍ରାମ

ଚିନି

-

୧ କିଲୋ

ଅଳେଇଚ

-

୨୫ ଗ୍ରାମ

ଘିଅ

-

୫୦୦ ଗ୍ରାମ

 

 

 

ପ୍ରସ୍ତୁତି ପ୍ରଣାଳୀ :

କଡ଼େଇରେ ଘିଅ ଗରମ କରି ଅଟା ପକାଇ ଭାଜନ୍ତୁ । ଭଲଭାବରେ ଭାଜିହୋଇଗଲେ ଅଟାରୁ ସୁନ୍ଦର ବାସନା ଆସିଲେ ଓହ୍ଲାଇ ଦିଅନ୍ତୁ । ଚିନିରେ ୧ ଗ୍ଳାସ କିମ୍ବା ୧ ୧/୨ ଖଣ୍ଡେ ପାଣି ଦେଇ ସିରା କରନ୍ତୁ । ସିରା ଅଳ୍ପ ଅଠାଳିଆ ହୋଇ ଆସିଲେ ଅଟା ପକାଇ ଘାଣ୍ଟନ୍ତୁ । ସେହି ସମୟରେ କିମ୍ବା ଚିନି ସିରାରେ ଅଳେଇଚ ଲବଙ୍ଗ କୁଟି ପକାନ୍ତୁ । ଅଟାରେ ମସଲା ମିଶିଗଲେ ପଟା ଉପରେ କିମ୍ବା ଥାଳିରେ ଘିଅ ମାରି ମାରି ଓଜାଡ଼ି ଦିଅନ୍ତୁ । ସାଙ୍ଗେ ସାଙ୍ଗେ ଗରମ ଥିବା ଅବସ୍ଥାରେ ଚାରି ଚାରି କଣିଆ କାଟିଦିଅନ୍ତୁ । ଥଣ୍ଡା ହେଲେ କାଟିହେବନହିଁ ।

ପ୍ରସ୍ତୁତ :

ଏବେ ଜଗନ୍ନାଥବଲ୍ଲଭ ପ୍ରସ୍ତୁତ ହୋଇଗଲା । ଏହା ପ୍ରଭୁଙ୍କର ଛପନ ଭୋଗ ମଧ୍ୟରେ ସ୍ଥାନ ପାଇଛି ।

Image

 

ନାଡ଼ି ଝିଲି

ଆବଶ୍ୟକ ସାମଗ୍ରୀ :

ବିରି ଡାଲି

-

୫୦୦ ଗ୍ରାମ

ଚାଉଳ ଅଟା

-

୧୦୦ ଗ୍ରାମ

ଚିନି

-

୨୫୦ ଗ୍ରାମ

ଘିଅ

-

ଛାଣିବା ପାଇଁ

 

ପ୍ରସ୍ତୁତି ପ୍ରଣାଳୀ :

ବିରି ଡାଲିକୁ ୨/୩ ଘଣ୍ଟା ବତୁରାଇ ଧୋଇ ଶୁଖିଲା ଶୁଖିଲା ବାଟିରଖନ୍ତୁ । ଚିନିରେ ୧/୨ ଗ୍ଳାସ ପାଣି ଦେଇ ମୋଟା ସିରା କରି ରଖନ୍ତୁ । ବିରିବଟାରେ ଚାଉଳ ଅଟା ପକାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । ଫେଣ୍ଟିସାରି ମୋଟା କନାରେ ଛୋଟିଆ କାଜ କରି ଏଇ ଫେଣ୍ଟାରେ ଗୋଟେ ଗୁଳା ରଖନ୍ତୁ । କଡ଼ାଇରେ ଘିଅ ଗରମ କରି ଏଇ ଫେଣ୍ଟାକୁ ଜିଲାପି ପରି ମୋଡ଼ି ମୋଡ଼ି ଛାଣି ସିରାରେ ପକାଇ ଉଠାଇ ଅଲଗା ସାଇଜ କରି ରଖନ୍ତୁ ।

ପ୍ରସ୍ତୁତ :

ଏବେ ନାଡ଼ି ଝିଲ୍ଲୀ ପ୍ରସ୍ତୁତ ହୋଇଗଲା । ଏହାକୁ ଯଦି ସିରାରେ ନ ପକାଇବେ ତେବେ ଖାଲି ନାଡ଼ି କୁହାଯିବ । ଏହା ପ୍ରଭୁଙ୍କ ପାଖରେ ଭୋଗ କରାଯାଏ ।

Image

 

ବିରି ଡାଲି ଓ ହରଡ଼ ଡାଲି ଡାଲମା

ଆବଶ୍ୟକ ସାମଗ୍ରୀ :

ଚୋପା ଛଡ଼ା ବିରି

-

୨୫୦ ଗ୍ରାମ

ହରଡ଼ ଡାଲି

-

୨୫୦ ଗ୍ରାମ

ପରିବା

-

୧ କିଲୋ (ପଣସ କଠା, କଖାରୁ, ଶଙ୍ଖସାରୁ, କଦଳୀ, ବଡ଼ ଆଳୁ, ଜହ୍ନି ଇତ୍ୟାଦି)

ନଡ଼ିଆ

-

୧ ଗୋଟା

ଅଦା

-

୨୫ ଗ୍ରାମ

ଜୀରା

-

୧ ଚାମଚ

ଗୋଲମରୀଚ

-

୧/୪ ଚାମଚ

ହେଙ୍ଗୁ

-

ସାମାନ୍ୟ

ପାନମାଧୁରୀ

-

୧/୨ ଚାମଚ

ଶୁଖିଲା ଲଙ୍କା

-

୨ ଗୋଟା

ମେଥି

-

ଅଳ୍ପ/୮ଟା

 

ପ୍ରସ୍ତୁତି ପ୍ରଣାଳୀ :

ବିରି ଡାଲି ୧ ଘଣ୍ଟା ଆଗରୁ ବତୁରି ଥିବା ଦରକାର । ବିରି ଡାଲି ବତୁରିଗଲେ ଧୋଇ ହରଡ଼ ଡାଲିକୁ ଧୋଇ ଏକାଠି ସିଝାନ୍ତୁ । ଡାଲି ଅଳ୍ପ ସିଝିବା ପରେ ପାରିବ ଧୋଇ ପକାନ୍ତୁ । ପରିବା ଅଧା ସିଝି ଆସିଲେ ନଡ଼ିଆ କୋରା, ଲୁଣ, ହଳଦୀ ଗୁଣ୍ଡ, ଅଦା ଛେଚା ପକାନ୍ତୁ । ଡାଲମା ସିଝିଗଲେ ଓହ୍ଲାଇ ଦିଅନ୍ତୁ । କଡ଼ାଇରେ ଘିଅ ଗରମ କରି ଫୁଟଣ ପକାଇ ବଘାରନ୍ତୁ । ଜିରା, ଗୋଲମରିଚ, ହେଙ୍ଗୁ ଟିକେ ପାନମଧୁରୀ ଶୁଖିଲା ଲଙ୍କା, ମେଥି କୁ ଭାଜି ଗୁଣ୍ଡ କରି ଡାଲମା ପରିମାଣ ଦେଖି ପାକନ୍ତୁ । ଡାଲମାକୁ ଫୁଟାଇ ଧନିଆ ପତ୍ର ପକାଇ ଓହ୍ଲାଇ ଦିଅନ୍ତୁ ।

ପ୍ରସ୍ତୁତ :

ଏବେ ବିରି ଡାଲି ଡାଲମା ହୋଇଗଲା । ପ୍ରଭୁ ଜଗନ୍ନାଥଙ୍କ ପାଖରେ ଭୋଗ ଲାଗେ ।

Image

 

ଦହି ଛେନା ଖଟା

ଆବଶ୍ୟକ ସାମଗ୍ରୀ :

ବସାଦହି

-

୧ କିଲୋ

ଅଙ୍ଗୁର

-

୨୫୦ ଗ୍ରାମ

ଛେନା

-

୩୦୦ ଗ୍ରାମ

ଚିନି

-

୫୦ ଗ୍ରାମ

ଭଜା ଜିରା ଗୁଣ୍ଡ

-

୧ ଚାମଚ

ମିଠା ବୁନ୍ଦି

-

୧ ମୁଠା

ସେଓ

-

୩ ଗୋଟା

ଲୁଣ

-

ସ୍ଵାଦ ଅନୁସାରେ

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଦହିରେ ଛେନାକୁ ମିଶାଇ ଦିଅନ୍ତୁ । ଛେନାକୁ ପୁରା ଚକଟିବେ ନାହିଁ ଅଳ୍ପ ଅଳ୍ପ ଗୋଳେଇ ଦେବେ । ଅଙ୍ଗୁର ଧୋଇ ଗୋଟା ପକାନ୍ତୁ । ସେଓକୁ ଛୋଟ ଛୋଟ କାଟି ପକାନ୍ତୁ । ଲୁଣ, ଚିନି, ଜିରାଗୁଣ୍ଡ, ମିଠା ବୁନ୍ଦି ପକାଇ ଗୋଳାନ୍ତୁ । ଯଦି ଅଧିକ ବହଳିଆ ହୋଇଯାଏ ତେବେ ୧ କପ କ୍ଷୀର ଦେଇ ଦେବେ ।

ପ୍ରସ୍ତୁତ :

ଏବେ ଦହି ଛେନା ପ୍ରସ୍ତୁତ ହୋଇଗଲା । କାର୍ତ୍ତିକ ମାସରେ ଜଗନ୍ନାଥଙ୍କ ନିକଟରେ ଏହା ଭୋଗ ଲାଗେ ।

Image

 

ସୋଲା ଡାଲି ଛେନା ତରକାରୀ

ଆବଶ୍ୟକ ସାମଗ୍ରୀ :

ସୋଲା ଡାଲି

-

୫୦୦ ଗ୍ରାମ

 

ଡାଲଚିନି

-

୪/୫ ଖଣ୍ଡ

ଛେନା

-

୩୦୦ ଗ୍ରାମ

 

ତେଜପତ୍ର

-

୪ ଗୋଟା

ଛୋଟ ନଡ଼ିଆ

-

୧ ଗୋଟା

 

ଘିଅ

-

୧ ଡଙ୍କି

ଜିରା

-

୪ ଚାମଚ

 

ଫୁଟଣ ବା ଜିରା

-

୧ ଚାମଚ

ଧନିଆ

-

୫ ଚାମଚ

 

ଲୁଣ ଓ ହଳଦୀ

-

ପରିମାଣ

ଗୋଲମରିଚ

-

୨ ଚାମଚ

 

ମଇଦା

-

୪ ଚାମଚ

 

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଛେନାରେ ମଇଦା ପକାଇ ଚକଟା ସାରି କଡ଼ାଇରେ ଘିଅ ଗରମ କରି ଛେନାକୁ ଗୋଲ କିମ୍ବା ଚାରି କଣିଆ କରି ଛାଣି ରଖନ୍ତୁ । ବୁଟ ଡାଲିକୁ ଧୋଇ ସିଝାଇ ରଖନ୍ତୁ । ଧନିଆ, ଜିରା ଗୋଲମରିଚକୁ ବାଟି ରଖନ୍ତୁ । ନଡ଼ିଆକୁ କୋରି ରଖନ୍ତୁ । କଡ଼ାଇରେ ଘିଅ ଗରମ କରି ଫୁଟଣ କରନ୍ତୁ । ତାପରେ ବଟା ମସଲା ପକାଇ କଷନ୍ତୁ । ତା ଭିତରେ ହଲଦିଗୁଣ୍ଡ ଓ ଲୁଣ ପକାଇ କଷି ସୋଲାଡ଼ଲି ଓଜାଡ଼ି ଦିଅନ୍ତୁ । ନଡ଼ିଆ କୋରା ପକାଇ କିଚ୍ଛି ସମୟ ଫୁଟନ୍ତୁ । ଫୁଟି ସାରିଲେ ଛଣା ଛେନାକୁ ପକାଇ ଗୋଳାନ୍ତୁ । ଅଳ୍ପ ଫୁଟିଗଲେ ଧନିଆ ପତ୍ର ପକାଇ ଗୋଳେଇ ଓହ୍ଲାଇ ଦିଅନ୍ତୁ ।

ପ୍ରସ୍ତୁତ :

ଏବେ ଛେନା ସୋଲା ଡାଲି ପ୍ରସ୍ତୁତ ହୋଇଗଲା । ଏହା ପ୍ରଭୁଙ୍କ ନିକଟରେ ଭୋଗଲାଗେ-

Image

 

[ଅନ୍ୟାନ୍ୟ ନିରାମିଷ ଖାଦ୍ୟ]

ଲିମ୍ବ କଢ଼ ଡାଲମା

ଆବଶ୍ୟକ ସାମଗ୍ରୀ :

ଲିମ୍ବ କଢ଼

-

୧ ମୁଠା

ଶୁଖିଲା ଲଙ୍କା

-

ଗୋଟା

ଡାଲମା

-

ବାଟି

ଲୁଣ

-

ଅଳ୍ପ କିଛି

ଘିଅ ବା ତେଲ

-

ଡଙ୍କି

ଫୁଟଣ

-

ଅଧା ଚାମଚ

ପ୍ରସ୍ତୁତି ପ୍ରଣାଳୀ :

କଡ଼ାଇରେ ତେଲ ଗରମ କରି ଫୁଟଣ, ଲଙ୍କା ଫୁଟାନ୍ତୁ । ତା’ ପରେ ଲିମ୍ବ କଢ଼କୁ ଧୋଇ ତେଲରେ ଭାଜନ୍ତୁ । ଅଳ୍ପ ଟିକେ ଭାଜି ଡାଲମାକୁ ଓଜାଡ଼ି କଷନ୍ତୁ । ଆଗରୁ ଡାଲମାରେ ଲୁଣ ପଡ଼ିଥିବ ତେଣୁ ଟିକେ ଲୁଣ ଦରକାର ହେଲେ ପକାଇ କଷନ୍ତୁ । କଷି କଷି ମେଞ୍ଚା ମେଞ୍ଚା ହୋଇଗଲେ ଓହ୍ଲାଇ ଦିଅନ୍ତୁ ।

ପ୍ରସ୍ତୁତ :

ଏବେ ପ୍ରସ୍ତୁତ ହୋଇଗଲା ଲିମ୍ବ କଢ଼ ଡାଲମା ।

Image

 

ରସଗୋଲ ଖଟା

ଆବଶ୍ୟକ ସାମଗ୍ରୀ :

ସଜ ଦହି

-

୫୦୦ ଗ୍ରାମ

ରସଗୋଲା

-

୩୦ ଗୋଟା (ଟିକିଟିକି)

ଚଣା ମସଲା

-

୧ ଚାମଚ

ଲଙ୍କା ଗୁଣ୍ଡ

-

ଅଳ୍ପ

ଚିନି ଓ ଲୁଣ

-

ସ୍ଵାଦ ଅନୁସାରେ

 

ପ୍ରସ୍ତୁତି ପ୍ରଣାଳୀ :

ଏକ ପାତ୍ରରେ ଦହି କୁ ଭଲ ଭାବରେ ଚାମଚରେ ଫେଣ୍ଟି ଦିଅନ୍ତୁ । ସେଥିରେ ଚଣା ମସଲା ପକାଇ ଗୋଳାନ୍ତୁ । ଲଙ୍କା ଗୁଣ୍ଡ ପକାନ୍ତୁ । ଲୁଣ ଓ ଚିନି ପକାନ୍ତୁ । ତାପରେ ତାକୁ ଭଲ ଭାବରେ ଗୋଳେଇ ଦିଅନ୍ତୁ । ତା ଭିତରେ ରସଗୋଲା ଗୁଡ଼ିକ ପକାଇ ଗୋଳେଇ ରଖନ୍ତୁ ।

ପ୍ରସ୍ତୁତ :

ଏବେ ପ୍ରସ୍ତୁତ ହୋଇଗଲା ରସଗୋଲା ଖଟା ।

Image